ବନ୍ୟାରେ ଭାସିଗଲା ମାସ ତଳେ ନିର୍ମାଣ ହୋଇଥିବା ପୋଲ, ଜଳସ୍ତର କମିବା ପରେ ଜଣା ପଡିଲା

Published By : Prameya-News7 Bureau | August 30, 2020 IST

ଭୋପାଳ ୩୦।୦୮: ପ୍ରବଳ ବର୍ଷା ପରେ ମଧ୍ୟ ପ୍ରଦେଶର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ମଧ୍ୟରେ ରବିବାର ମଧ୍ୟ ପ୍ରଦେଶର ସିବନିରେ ମୂଷଳଧାରା ବର୍ଷା ପରେ ଏକ ମାସ ପୂର୍ବେ ନିର୍ମାଣ ହୋଇଥିବା ପୋଲ ବନ୍ୟାରେ ଭାସି ଯାଇଛି। ଏହି ପୋଲ ୨୦୨୦ ଜୁନ ୩୦ରେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରବିବାର ବନ୍ୟା ଜଳରେ ଏହା ତାସ୍‌ପତ୍ତା ପରି ବୋହି ଯାଇଛି।

ସିବନିରେ ନିର୍ମାଣ ଏହି ପୋଲର ଲମ୍ବ ୧୫୦ ମିଟର ଏବଂ ଓସାର ୯ ମିଟର ଥିଲା। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅନ୍ତର୍ଗତ ୩.୧୨ କୋଟି ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ହୋଇଥିଲା। ଗତ ତିନି ଦିନ ହେବ ଲଗାଣ ବର୍ଷାପରେ ଭୀମଗଢ ଡ୍ୟାମର ସମସ୍ତ ୧୦ ଗେଟ୍ ଖୋଲା ଯାଇଥିଲା। ନଦୀର ଜଳ ସ୍ତର  ବିପଦ ସଙ୍କେତ ଉର୍ଦ୍ଧ୍ଵରେ ପ୍ରବାହିତ ହୋଇଥିଲା। ପୋଲ ଉପରେ ପ୍ରାୟ ୧୦ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ରବିବାର ଯେତେବେଳେ ଜଳସ୍ତର କମିଲା ପୋଲ ଭାସି ଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ କହିଛନ୍ତି ଆମେ କେବେ ମଧ୍ୟ ନଦୀରେ ଏତେ ପାଣି ଯାଉଥିବା ଦେଖିନୁ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜେପି ମେହରା କହିଛନ୍ତି ସୁନଓ୍ଵାରା-ଆମାନାଲା ରାସ୍ତାରେ ପିଏମଜିଏସଓ୍ଵାଇ ଦ୍ଵାରା ଏହି ପୋଲ ନିର୍ମାଣ ହୋଇଥିଲା। ଏହାର ଲମ୍ବ ୧୫୦ ମିଟର ଏ ଏବଂ ଓସାର ୯ ମିଟର ଥିଲା। ମାସେ ତଳେ ପୋଲ ନିର୍ମାଣ କାମ ସରିଥିଲା। ହେଲେ ଲଗାଣ  ବର୍ଷାରେ ନଦୀରେ ବନ୍ୟା ଆସିବାରୁ ପୋଲ ଭାସିଯାଇଛି। ସେ କହିଛନ୍ତି ପୋଲ  ବହୁତ ମଜବୁତ ଥିଲା ଏବଂ ଏଥିରେ ଗୁଣବତ୍ତା କମ ନଥିଲା। ପ୍ରଶାସନ ଆଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.