ବର୍ଷା ଯୋଗୁଁ ଭୁଷୁଡି ପଡିଲା ୪୦ ବର୍ଷର ପୋଲ
22/06/2020 at 10:15 AM

ନବରଙ୍ଗପୁର ୨୨।୬: ପ୍ରଥମ ବର୍ଷାରେ ଭୁଷୁଡି ପଡିଲା ପୋଲ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବଡ ମସିଗାଁ ପୋଲ ପ୍ରଥମ ମୌସୁମୀ ବର୍ଷା ଆରମ୍ଭରୁ ହିଁ ଭୁଷୁଡି ପଡିଛି । ଉକ୍ତ ରାସ୍ତା ଦେଇ ଜିଲ୍ଲାର କୋଶାଗୁମୁଡା ବ୍ଲକ୍କୁ ସଂଯୋଗ କରୁଥିବା ଏହି ପୋଲ ଦେଇ ଦୈନିକ ହଜାର ହଜାର ଗାଡି ଯାତାୟାତ କରୁଥିଲା । ପୋଲ ଭୁଷୁଡି ପଡିବା ଫଳରେ ଉକ୍ତ ରାସ୍ତା ଦେଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସହ ଆଖପାଖ ଗାଁ ଲୋକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଚାଳିଶି ବର୍ଷ ପୂର୍ବେ ଏହି ପୋଲଟି ନିର୍ମାଣ ହୋଇଥିବା ବେଳେ ଶହ ଶହ ଭାରି ଯାନ ଚଳାଚଳ ଫଳରେ ପୋଲଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିଲା । ତେଣୁ ନୂତନ ପୋଲ ନିର୍ମାଣ ପାଇଁ ଅନେକ ଦିନ ଧରି ଦାବି ହୋଇଆସୁଥିଲା । ଏହାପରେ ପ୍ରଶାସନ ପକ୍ଷରୁ ନୂତନ ପୋଲ କାମ ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ବ୍ରିଜର ୫ଶହ ମିଟର ଭିତରେ ବାଲି ଉଠାଣ ନକରିବା ନିୟମ ରହିଥିଲେ ମଧ୍ୟ ତହସିଲ ବିଭାଗ ଓ ସମ୍ପୃକ୍ତ ବାଲି ଟେଣ୍ଡରଧାରୀଙ୍କ ମଧୁଚନ୍ଦ୍ରିକା କାରଣରୁ ଏହି ପୋଲକୁ ଲାଗି ହଜାର ହଜାର ଟ୍ରକ୍ ବାଲି ଉଠାଯାଉଥିଲା ଯାହା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନଦୀରେ ବ୍ରିଜ ନିକଟରେ ବାଲି ଖାଲି ହେବ ଫଳରେ ବ୍ରିଜ ର ପୋଲ ର ପିଲାର ଗୁଡିକ ଦୁର୍ବଳ ହୋଇଯାଇଥିଲା ଯାହା ଫଳରେ ଏଭଳି ହୋଇଛି ବୋଲି ଅଭିଯୋଗ ହୋଇଛି । କୋଷାଗୁମୁଡ଼ା ବ୍ଲକ ଏବଂ ଏହାର ଆଖପାଖ ଗାଁ ଲୋକଙ୍କ ପାଇଁ ଏହି ପୋଲ ଦେଇ ନବରଙ୍ଗପୁର ମୁଖ୍ୟାଳୟକୁ କମ୍ ଦୂରତା ହେଉଥିଲା ବର୍ତ୍ତମାନ ବ୍ଲକର ଅନେକ ପଞ୍ଚାୟତବାସୀଙ୍କୁ ନବରଙ୍ଗପୁର ମୁଖ୍ୟାଳୟକୁ ଯିବାକୁ ଦୀର୍ଘ ୪୦ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରିବାକୁ ପଡିବ । ଯାହାକୁ ନେଇ ଏବେ ଅଞ୍ଚଳବାସୀ ଚିନ୍ତିତ ହୋଇପଡିଛି ।