Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାସ୍କ ପିନ୍ଧି ବାହା ବେଦୀରେ ବସିଲେ ବର-କନ୍ୟା, ଥିଲା ବି କରୋନା ପ୍ରଭାବର ଝଲକ୍‌

16/04/2020 at 3:17 PM

ହୋଶଙ୍ଗାବାଦ୧୬।୪: ସାରା ଦେଶରେ କରୋନା ଡର । କରୋନା ମୁକାବିଲା ପାଇଁ ସରକାର ଘୋଷଣା କରିଦେଲେ ଲକ୍ ଡାଉନ୍ । ଫଳରେ ସାରା ଦେଶରେ ଅନେକ କାର୍ଯ୍ୟ ଠପ୍ ହୋଇଗଲା । ଏହି ସମୟରେ ଅନେକଙ୍କ ବିବାହ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ଲକ୍ ଡାଉନ୍ ଯୋଗୁଁ ସେସବୁକୁ ଘୁଞ୍ଚାଇବାକୁ ପଡିଲା । ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଅପ୍ରେଲ ୧୪ ରେ ଶେଷ ହେବାର ଥିଲା । ମାତ୍ର କରୋନାର କରାଳ ରୂପ ଦେଖୁ ସରକାର ପୁଣି ତାହାକୁ ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦେଲେ । ଲକ୍ ଡାଉନ୍ ଶେଷ ହେବା ପରେ ଯେଉଁମାନଙ୍କର ବିବାହ ହେବାରେ ଥିଲା ସେମାନେ ଯେମିତି ଏକ ପ୍ରକାର ନିରାଶ ହୋଇଯାଇଥିଲେ । ଏଭଳି ସ୍ଥିତିରେ ପୂର୍ବରୁ ଧାର୍ଯ୍ୟ ତାରିଖରେ ବିବାହ କରିଛନ୍ତି ଦମ୍ପତ୍ତି । ଲକ୍ ଡାଉନ୍ ନିୟମ ପାଳନ କରି ହୋଇଛି ବିବାହ । ବର-କନ୍ୟା ଏବଂ ବରଯାତ୍ରୀ ସମସ୍ତେ ମାସ୍କ ପିନ୍ଧି ବିବାହ ଉତ୍ସବରେ ଯୋଗଦେଲେ । ସାମାଜିକ ଦୂରତାକୁ ପାଳନ କରି ସାତ ଫେରା ମଧ୍ୟ ନେଲେ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ହୋଶଙ୍ଗାବାଦରେ ଲକ୍ ଡାଉନ୍ ଥିବା ବେଳେ ସେଓ୍ବନି ମାଲୱା ତହସିଲର ଝକଲାୟରେ ଏକ ବିବାହ ଉତ୍ସବକୁ ନେଇ ଚର୍ଚ୍ଚାର ଜୋର ଧରିଛି । ଲକ୍ ଡାଉନ୍ ନିୟମରେ ୪ଜଣ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିଲା ବର । ସେଠାରେ ମାସ୍କ ଲଗାଇ ସାମାଜିକ ଦୂରତାକୁ ଅନୁପାଳନ କରି ହୋମ ନିଆଁ ଚାରିପଟେ ସାତ ଫେରା ବୁଲିଥିଲେ ଉଭୟ ବର-କନ୍ୟା । ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବର ହେମନ୍ତ ଏବଂ କନ୍ୟା ବ୍ରଜେଶ୍ବରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ହେମନ୍ତ ଏବଂ ବ୍ରଜେଶ୍ବରୀଙ୍କ ବିବାହ ଅପ୍ରେଲ ୧୫ରେ ସ୍ଥିର ହୋଇଥିଲା । ବରର ପରିବାର ବିଶ୍ବାସ କରୁଥିଲେ ଯେ ଅପ୍ରେଲ ୧୪ରେ ଲକ୍ ଡାଉନ୍ ଉଠିଯିବ । ତେଣୁ ଉଭୟ ପରିବାରରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା । ମାତ୍ର ଅପ୍ରେଲ ୧୪ରେ ଲକ୍ ଡାଉନ୍ ଉଠିନଥିଲା । ଏହା ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଉଭୟ ପରିବାର ପାଇଁ ବିବାହ ରୀତିନୀତି କରାଯାଇଥିବା ବେଳେ ବିବାହକୁ ଘୁଞ୍ଚାଇବା ସମ୍ଭବପର ନଥିଲା ।

ଫଳରେ ବାଧ୍ୟବାଧକତାରେ ଅପ୍ରେଲ ୧୫ ତାରିଖରେ ୪ଜଣ ବରଯାତ୍ରୀଙ୍କୁ ନେଇ ବର ବିବାହ କରିବାକୁ  ଶୋଭାଯାତ୍ରା କରି କନ୍ୟା ଘରେ ପହଞ୍ଚିଥିଲେ । ଏହାପରେ କିଛି ଲୋକଙ୍କ ମଧ୍ୟରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା । ବିବାହରେ ବର ଏବଂ କନ୍ୟା ସମେତ ସମସ୍ତେ ମାସ୍କ ପିନ୍ଧିଥିଲେ । ବର ଏବଂ କନ୍ୟା ମାସ୍କ ପିନ୍ଧି ବିବାହର ସମସ୍ତ ରୀତିନୀତି ପାଳନ କରିଥିଲେ । ସାମାଜିକ ଦୂରତାକୁ ଅନୁପାଳନ କରି ଅଗ୍ନି ଚାରିପଟେ ସାତ ଫେରା ନେଇଥିଲେ ।

   Related Posts