ପ୍ରତାପଗଡ଼ ୧୭/୧୨ : ଏମିତି ଜୀବନସାଥୀ ଭାଗ୍ୟରେ ଥିଲେ ମିଳେ। ଯିଏ ସୁଖରୁ ଅଧିକ ଦୁଃଖରେ ସାଙ୍ଗରେ ଛିଡା ହୁଏ | ଯିଏ ଦୁଃଖ ସମୟରେ ହାତ ଛଡାଇ ନ ଯାଇ ବରଂ ଦୁଃଖକୁ ବି ଆପଣେଇଥାଏ। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ପ୍ରତାପଗଡ଼ ଅଞ୍ଚଳରେ।
ଉତ୍ତର ପ୍ରଦେଶ ପ୍ରତାପଗଡ଼ କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀ ମୋର୍ଯ୍ୟଙ୍କ ବାହାଘର ପାଖରେ ଥିବା ଏକ ଗାଁର ଅବଧେଶଙ୍କ ସହ ଠିକ ହୋଇଥିଲା। ଡିସେମ୍ବର ୮ ତାରିଖରେ ବାହାଘର ଜେବ୍ରା ଥିଲା। ଉଭୟଙ୍କ ଘରେ ବାହାଘର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଉଭୟଙ୍କ ଘରେ ବାହାଘର ବାଜା ବାଜୁଥିଲା। ସମ୍ପର୍କୀୟ ଅତିଥି ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିଲେ। ଠିକ ସେତେବେଳେ ଏକ ଦୁର୍ଘଟଣା ଘଟିଗଲା। ଅପରାହ୍ନ ପ୍ରାୟ ଗୋଟେ ବେଳେ ଜଣେ ଶିଶୁକୁ ବଞ୍ଚାଇବା ଚକ୍କର୍ରେ ଆରତୀଙ୍କ ଗୋଡ ଖସିଗଲା ଓ ଛାତ ଉପରୁ ତଳେ ପଡିଗଲେ। ପଡିଯିବାରୁ ତାଙ୍କର ଅଣ୍ଟା ହାଡ ଭାଙ୍ଗିଗଲା। ଅଣ୍ଟା ଓ ଗୋଡ ସମେତ ଶରୀରର ଅନ୍ୟ ଜାଗାରେ ମଧ୍ୟ କ୍ଷତ ହୋଇଥିଲା। ନିକଟସ୍ଥ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇପାରିନଥିଲା। ଫଳରେ ଘରଲୋକ ତାଙ୍କୁ ପ୍ରୟାଗରାଜର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁ ଘରେ ଖୁସି ଲହର ଥିଲା ସେହି ଘରେ ହଠାତ ଶୋକ ଖେଳି ଗଲା।
ସବୁ କଥା ଜାଣିବା ପରେ ଅବଧେଶ କହିଥିଲେ ଯେ ସେ ଏହି ଅବସ୍ଥାରେ ମଧ୍ୟ ଆରତୀଙ୍କୁ ପତ୍ନୀ ଭାବେ ଆପଣେଇବେ। ଏହାସହ ବାହାଘର ମଧ୍ୟ ଧାର୍ଯ୍ୟ ଦିନ ଓ ସମୟରେ କରିବେ ବୋଲି କହିଥିଲେ। ସେ କହିଲେ ଆରତୀ ଅକ୍ସିଜେନ ସିଷ୍ଟମରେ ଥିଲେ ବି ଧାର୍ଯ୍ୟ ସମୟରେ ହିଁ ସେ ଆରତୀଙ୍କ ମଥାରେ ସିନ୍ଦୁର ଦେବେ କିନ୍ତୁ ବାହାଘର କୌଣସି ସ୍ଥିତିରେ ବି ସ୍ଥଗିତ ହେବନାହିଁ। ସେ ନିଜ ପତ୍ନୀଙ୍କୁ ସାହାରା ଦେଇ ତାଙ୍କ ସେବା କରିବାକୁ ଚାହୁଁଛନ୍ତି, ତାଙ୍କ ଯନ୍ତ୍ରଣା ବାଣ୍ଟଇନେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।
ଅବଧେଶଙ୍କ ଜିଦ ଯୋଗୁଁ ଡାକ୍ତରଙ୍କ ଟିମରୁ ଅନୁମତି ନେଇ ଆରତୀଙ୍କୁ ଦୁଇ ଘଣ୍ଟା ପରେ ଆମ୍ବୁଲାନ୍ସ ଯୋଗେ ଘରକୁ ଅଣାଯାଇଥିଲା। ଆରତୀଙ୍କୁ ଷ୍ଟ୍ରେଚରରେ ଶୁଆଇ ବାହାଘରର ସବୁ ରୀତିନୀତି ସମ୍ପନ୍ନ କରାଯାଇଥିଲା। ଅକ୍ସିଜେନ ଓ ଡ୍ରିପ୍ ଲାଗିଥିବା ଅବସ୍ଥାରେ ଅବଧେଶ ଆରତୀଙ୍କ ମଥାରେ ସିନ୍ଦୁର ଦେଇଥିଲେ। ସବୁ କନ୍ୟା ଭଳି ଆରତୀଙ୍କୁ ମଧ୍ୟ ବିଦା କରାଯାଇଥିଲା। କିନ୍ତୁ ସେ ବାପଘରୁ ଶାଶୂଘରକୁ ନଯାଇ ସିଧା ହସ୍ପିଟାଲ ଯାଇଥିଲେ। ଆରଦିନ ଆରତୀଙ୍କର ଅପରେସନ ଥିଲା। ଅପରେସନ ଫର୍ମରେ ଅବଧେଶ ସ୍ୱାମୀ ଦସ୍ତଖତ କରିଥିଲେ ଓ ନିଜର ଦାୟିତ୍ୱ ତୁଲାଇଥିଲେ।