ଅଜବ ଯୌତୁକ : କନ୍ୟା ସୁନା ପାଇଁ ଭାଙ୍ଗିଗଲା ବିବାହ
1/02/2020 at 10:19 AM

ରୁଡ଼କି ୧/୨: ଆପଣ ଯୁବକଙ୍କ ତରଫରୁ ଯୁବତୀଙ୍କ ଘରଲୋକଙ୍କଠୁ ଯୌତୁକ ଦାବି ନହେଲେ ବିବାହ ଭାଙ୍ଗିବା କଥା ଶୁଣିଥିବେ,କିନ୍ତୁ ଶୁକ୍ରବାର ଗଙ୍ଗନହର କୋତଓ୍ବାଲିରେ ଯୁବତୀ ପକ୍ଷ ଯୁବକଙ୍କ ଘରଲୋକଙ୍କୁ ଯୌତୁକ ଦାବି କରିବା ଭଳି ବିଚିତ୍ର ଘଟଣା ଘଟିଛି।
ଯୁବତୀ ବିବାହ ପୂର୍ବରୁ ହଜାର ହଜାର ଟଙ୍କା ଏବଂ ଗହଣା ଦାବି କରିଥିଲେ। ଯୁବକଙ୍କ ଘରଲୋକେ ଯୌତୁକ ଦେବାକୁ ମନା କରିବାରୁ ଯୁବତୀ ବିବାହ କରିବାକୁ ମନା କରି ଦେଇଥିଲେ। ଯୁବକ କୋତଓ୍ବାଲି ଥାନାକୁ ଆସି ପୋଲିସକୁ ଅଭିଯୋଗ କରିଛନ୍ତି। କିଛି ମାସ ତଳେ ସଲେମପୁର ବାସିନ୍ଦା ଯୁବକଙ୍କ ଦିଲ୍ଲୀର ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ସ୍ଥାପନ ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତାରୁ ପ୍ରେମ ସୃଷ୍ଟି ହୋଇଥିଲା। ଏହା ପରେ ଯୁବକ ତାଙ୍କ ଆଗରେ ବିବାହ କରିବାକୁ ପ୍ରସ୍ତାବ ରଖିଥିଲେ।
ଯୁବତୀ ପରିବାରଲୋକଙ୍କୁ ସବୁ କଥା କହିବାରୁ ଉଭୟଙ୍କ ଘରଲୋକେ ବିବାହ ପାଇଁ ମାନି ଯାଇଥିଲେ। ପାଖାପାଖି ୨ମାସ ତଳେ ଯୁବକ ପକ୍ଷ ଯୁବତୀଙ୍କ ଘରେ ପହଞ୍ଚି ନିର୍ବନ୍ଧ କରିଥିଲେ। ଫେବୃୟାରୀ ୩ତାରିଖ ବିବାହ ସ୍ଥିର ହୋଇଥିଲା। ଯୁବକ ପକ୍ଷ ବିବାହ କାର୍ଡ଼ ଛାପି ବାଣ୍ଟିଥିଲେ।
ଯୁବକଙ୍କ ଘରେ ବିବାହ ପ୍ରସ୍ତୁତିକୁ ନେଇ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। କିନ୍ତୁ ଗୁରୁବାର ଯୁବତୀଙ୍କ ଗୋଟିଏ କଲ୍ ସବୁ ଖୁସିକୁ ଧୂଳିସାତ୍ କରି ଦେଇଥିଲା। ଯୁବତୀ କଲ୍ କରି କହିଥିଲେ ଯେ ତାଙ୍କୁ ବିବାହ ପୂର୍ବରୁ ୫୦ହଜାର ଟଙ୍କା ଏବଂ ଗହଣା ଦରକାର। ଯୌତୁକ ନମିଳିଲେ ସେ ବିବାହ କରିବେ ନାହିଁ। ଯୁବକ ପକ୍ଷ ତାଙ୍କୁ ବୁଝାଇବାକୁ ବହୁତ ଉଦ୍ୟମ କରିଥିଲେ,କିନ୍ତୁ ସେ ମାନିନଥିଲେ।
ଯୁବକଙ୍କ ଘରଲୋକେ ଯୌତୁକ ଦେବାକୁ ମନା କରିବାରୁ ଯୁବତୀ ବିବାହ ଭାଙ୍ଗି ଦେଇଥିଲେ। ଯୁବକ ଏମାମଲାରେ ଥାନାରେ ଏତଲା ଦେଇଛନ୍ତି।