ବାହା ବେଦୀ ବଦଳରେ ସ୍ମଶାନ ଜୁଇ : କରୋନା ଭୟରେ ପୀଡିତା କନ୍ୟାଙ୍କ ଚିକିତ୍ସା କରିବାକୁ ମନା କରିଦେଲେ ଡାକ୍ତର, ବାହାଘର ଦିନ ଚାଲିଗଲା ଜୀବନ

Published By : Prameya-News7 Bureau | June 28, 2020 IST

କନୌଜ ୨୮/୦୬ : କରୋନା ସଙ୍କଟ ମଧ୍ୟରେ ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ହୋଇପାରୁନାହିଁ | ଫଳରେ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଅନ୍ୟ ରୋଗରେ ପିଡୀତ କିଛି ରୋଗୀ ଚିକିତ୍ସା ଅଭାବରୁ ପ୍ରାଣ ମଧ୍ୟ ହରାଉଛନ୍ତି | ଏହିଭଳି ଏକ ଘଟଣା ଉତ୍ତର ପ୍ରଦେଶ କନୌଜ ଜିଲ୍ଲାରେ ଦେଖିବାକୁ ମିଳିଛି | ବିବାହ ଦିନ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଗଲା | ଯୁବତୀଙ୍କୁ ନେଇ ତାଙ୍କ ପରିବାର ଲୋକ କନୌଜରୁ କାନପୁର ଅନେକ ହସ୍ପିଟାଲ ବୁଲିଥିଲେ କିନ୍ତୁ କରୋନା ଭୟରେ ଡାକ୍ତର ତାଙ୍କର ଚିକିତ୍ସା କରିନଥିଲେ | ଚିକିତ୍ସା ଅଭାବରୁ ଶେଷରେ ଯୁବତୀଙ୍କ ପ୍ରାଣ ଚାଲିଗଲା | ଝିଅକୁ ହରାଇ ଘରଲୋକ ଦୁଃଖରେ ଭାଙ୍ଗି ପଡିଲେ | ସେହି ଦିନ ଝିଅର  ବାହାଘର ହୋଇଥାନ୍ତା | କିନ୍ତୁ ଝିଅର ଡୋଲୀ ନ ଉଠି ଉଠିଥିଲା ଅର୍ଥୀ | ଘଟଣାରେ ପୁରା ଗାଁରେ ଶୋକ ଖେଳି ଯାଇଥିଲା |

କନୌଜ ଠଠିୟା ଥାନା ଅନ୍ତର୍ଗତ ଭଗତପୂରବା ଗାଁରେ ରହୁଥିବା ରାଜ କିଶୋରଙ୍କ ୧୯ ବର୍ଷୀୟା ଝିଅ ବନିତାଙ୍କ ବାହାଘର ଥିଲା | କାନପୁର ଦେହାତ ଜିଲ୍ଲା ଅମରୁହିୟା ଗାଁର ସନ୍ତୋଷ କୁମାରଙ୍କ ପୁଅ ସହିତ ବନିତାଙ୍କ ବାହାଘର ହେବାରଥିଲା | ବାହାଘର ପାଇଁ ଘରେ ସମସ୍ତେ ବହୁତ ଖୁସି ଥିଲେ | ବରଯାତ୍ରୀ ନେଇ ସଞ୍ଜୟ ବନିତାଙ୍କ ଗାଁରେ ମଧ୍ୟ ପହଞ୍ଚି ସାରିଥିଲେ | ବିବାହ ରୀତିନୀତି ଆରମ୍ଭ ମଧ୍ୟ ହୋଇ ସାରିଥିଲା | ହଠାତ ବନିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଗଲା | ପରିବାର ଲୋକେ ତୁରନ୍ତ ବନିତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଗଲେ | ତେବେ କରୋନା ଭୟରେ ହସ୍ପିଟାଲରେ ଡାକ୍ତର ବନିତାଙ୍କ ଚିକିତ୍ସା କରିବାକୁ ମନା କରିଦେଇଥିଲେ | ଘରଲୋକ ତାଙ୍କୁ ମେଡିକାଲ କଲେଜ ନେଇ ଯାଇଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା କରି ତାଙ୍କୁ କାନପୁର ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା |

କାନପୁରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା | କାନପୁରରେ ମଧ୍ୟ କରୋନା ଭୟରେ ଡାକ୍ତର ଚିକିତ୍ସା କରିବାକୁ ମନା କରିଦେଇଥିଲେ | ଚିକିତ୍ସା ଅଭାବରୁ ବନିତାଙ୍କ ମୃତ୍ୟୁ ହୋଇଯାଇଥିଲା | ମୃତ୍ୟୁ ଖବର ପାଇବା ପରେ ସଞ୍ଜୟଙ୍କୁ ବରଯାତ୍ରୀ ନେଇ ଫେରିବାକୁ ପଡିଥିଲା |

ପୋଲିସ ଅଧିକ୍ଷକ ଅମରେନ୍ଦ୍ର ପ୍ରସାଦ ସିଂହ କହିଛନ୍ତି ଯେ ଘଟଣା ସମ୍ପର୍କରେ ୧୧୨କୁ ସୂଚନା ଦିଆଯାଇଥିଲା | ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.