ଅତିଥିଙ୍କ ଠାରୁ ମିଳିଲାନି ମନପସନ୍ଦ ଉପହାର: ବାହାଘର କ୍ୟାନସେଲ୍ କରିଦେଲେ ଯୁବତୀ
4/01/2021 at 4:26 PM

କାନାଡ଼ା ୦୪/୦୧ : ବାହାଘରରେ ଉପହାର ଦେବା ପରମ୍ପରା ବହୁ ପୁରୁଣା। ବହୁ ଆଗରୁ ଏହି ପରମ୍ପରା ଚାଲିଆସିଛି ଏବଂ ପ୍ରାୟ ସବୁ ସମ୍ପ୍ରଦାୟରେ ଏହି ପରମ୍ପରା ରହିଛି। ବରକନ୍ୟାଙ୍କୁ ବାହାଘର ଅବସରରେ ବନ୍ଧୁ, ସମ୍ପର୍କୀୟ ଓ ଅତିଥି ବିଭିନ୍ନ ପ୍ରକାର ଉପହାର ଦେଇଥାନ୍ତି। କିନ୍ତୁ ଉପହାରକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବାହାଘରରେ ମନପସନ୍ଦର ଉପହାର ନ ମିଳିବାରୁ ଯୁବତୀ ବାହାଘର କ୍ୟାନସେଲ କରିଦେଇଥିଲେ।
ଏହି ଆଶ୍ଚର୍ଯ୍ୟଜନକ ମାମଲା କାନାଡ଼ାର। ସୁଶେନ ନାମକ ଜଣେ ଯୁବତୀ ବହୁ ଆଡମ୍ବରରେ ବାହାହେବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ୬୦ ହଜାର ଡଲାର ଆବଶ୍ୟକ ଥିଲା। ଟଙ୍କା ଯୋଗାଡ କରିବାକୁ ସେ ଏକ ଯୋଜନା ପାଞ୍ଚିଲେ। ବାହାଘରରେ ସାମିଲ ହେବାକୁଥିବା ଅତିଥିଙ୍କୁ ସେ ଉପହାର ସଦୃଶ୍ୟ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସୁଶେନଙ୍କ ଏହି ଯୋଜନା ପଣ୍ଡ ହୋଇଗଲା। ସେ ୬୦ ହଜାର ଡଲାର ଜମା କରିପାରିଲେନି। ଶେଷରେ ସେ ନିଜ ବାହାଘର କ୍ୟାନସେଲ କରିଦେଲେ।

ବାହାଘର କ୍ୟାନସେଲ ହେବାପରେ ସୁଶେନଙ୍କ ଭାବିସ୍ୱାମୀ କହିଛନ୍ତି ଯେ କୌଣସି କାରଣରୁ ବାହାଘର ହୋଇପାରିନାହିଁ। ଏଥିପାଇଁ ସେ ସୁଶେନଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଦୋଷ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ସୁଶେନଙ୍କ ଏକ ଚିଠି ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଚିଠିରେ ସୁଶେନ ନିଜ ପ୍ରେମ କାହାଣୀ ଦର୍ଶାଇଛନ୍ତି। ସେ ଲେଖିଛନ୍ତି, “୧୪ ବର୍ଷ ବୟସରେ ଆମେ ଦୁହେଁ ପରସ୍ପରକୁ ଭେଟିଥିଲୁ। ମିଶିକି କାମ କରୁଥିଲେ। ଧୀରେ ଧୀରେ ଆମ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୧୮ ବର୍ଷ ହେବାପରେ ଆମେ ନିର୍ବନ୍ଧ କରିଥିଲୁ। ୨୦ ବର୍ଷ ବୟସରେ ମୁଁ ମା’ ହେଲି। ଏହାପରେ ଉଭୟ ସାରା ଜୀବନ ମିଶିକି ରହିବାକୁ ନିଷ୍ପତ୍ତି ନେଲୁ। ବାହାଘର ପାଇଁ ମୁଁ ୧୫ ହଜାର ଡଲାର ଜମା କରିଥିଲି। କିନ୍ତୁ ଆହୁରି ଟଙ୍କା ଆବଶ୍ୟକ ଥିଲା। କାରଣ ମୁଁ ଆଡମ୍ବରରେ ବାହା ହେବାକୁ ଚାହୁଁଥିଲି। ସେଥିପାଇଁ ମୋତେ ୬୦ ହଜାର ଦଳର ଦରକାର ଥିଲା। ଏଥିପାଇଁ ମୁଁ ମୋ ସମ୍ପର୍କୀୟ ଓ ନିକଟ ବନ୍ଧୁଙ୍କୁ ଉପହାର ବଦଳରେ ଟଙ୍କା ଦେବାକୁ କହିଥିଲି। କିନ୍ତୁ ସେମାନେ ମୋତେ ସାହାଯ୍ୟ କଲେନି। ସେଥିପାଇଁ ମୁଁ ମୋ ବାହାଘର କ୍ୟାନସେଲ କରିଦେଲି।”