ବାହାଘରର ୧୦ ଦିନରେ ବଧୂ ୮ ମାସର ଗର୍ଭବତୀ: ଜାଣିବା ପରେ ବର ବେହୋସ, ଥାନାରେ ମାମଲା

Published By : Prameya-News7 Bureau | October 01, 2021 IST

ବରେଲୀ ୦୧/୧୦ : ଉତ୍ତର ପ୍ରଦେଶ ବରେଲୀର କିଲା ସରାୟ କଲୋନୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାହାଘର ପରେ ବଧୂ ୮ ମାସର ଗର୍ଭବତୀ ଥିବା ଜଣାପଡିଛି। ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାକୁ ନେଇ ବର ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏସଏସପି ସିଓ ଆଶିଷ ପ୍ରତାପଙ୍କୁ ଯାଞ୍ଚ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ କିଲାର ଯୁବକ ଫୁଟୱେୟାର ଦୋକାନରେ କାମ କରନ୍ତି। କଲୋନୀର ଜଣେ ଯୁବତୀଙ୍କ ସହ ୧୦ ଦିନ ପୂର୍ବରୁ ତାଙ୍କର ବାହାଘର ହୋଇଛି। ୧୦ ଦିନ ପରେ ହଠାତ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଯୁବକ ଡାକ୍ତରଙ୍କୁ ଡାକି ଦେଖାଇଥିଲେ। ଡାକ୍ତର ଯାହା କହିଲେ, ଶୁଣି ଯୁବକଙ୍କ ହୋସ ଉଡ଼ିଗଲା। ନବ ବିବାହିତା ଯୁବତୀ ଗର୍ଭବତୀ ଥିବା ଜଣାପଡିଥିଲା। ଖବର ନିଆଁ ଭଳି ସାରା କଲୋନୀରେ ପ୍ରଚାର ହୋଇଗଲା। ବାହାଘରର ୧୦ ଦିନ ପରେ ଯୁବତୀ ୮ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ।

କିଛି ଲୋକଙ୍କ କହିବାନୁଯାୟୀ, ଯୁବକ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ସମ୍ବନ୍ଧ ଥିଲା। କିନ୍ତୁ ଯୁବକ ଏହାକୁ ଅସ୍ବୀକାର କରିଛନ୍ତି। ଯୁବତୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ଏବଂ ଯୁବତୀଙ୍କ ଘରଲୋକ ଜବରଦସ୍ତି ତାଙ୍କ ଉପରେ ଚାପ ପକାଇ ତାଙ୍କର ବିବାହ କରାଇଛନ୍ତି ବୋଲି ସେ କହିଛନ୍ତି। ଯୁବକଙ୍କ ଘରଲୋକ କହିଛନ୍ତି ଯେ ଯୁବତୀଙ୍କର ଲକ୍ଷ୍ନୌ ସ୍ଥିତ ନିଜ ଭଉଣୀର ଦିଅର ସହ ସମ୍ବନ୍ଧ ଥିଲା ଓ ଗର୍ଭସ୍ଥ ଶିଶୁ ମଧ୍ୟ ତାର। ଯୁବକଙ୍କ ଘରଲୋକ କହିଛନ୍ତି ଯେ ଯୁବତୀ ନିଜ ପ୍ରେମିକ ସହ ହିଁ ବାହାହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଘରଲୋକ ଚାପ ପକାଇ ଏହି ବାହାଘର କରାଇଛନ୍ତି।

ଯୁବତୀ ନିଜ ପ୍ରେମିକକୁ ବିବାହ କରିବା ଜିଦରେ ଆତ୍ମହତ୍ୟା ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଘରଲୋକ ପ୍ରେମିକ ସହ ତାଙ୍କର ବିବାହ କରାଇବାକୁ ଚାହୁଁନଥିଲେ। ଯୁବକଙ୍କ ଘରଲୋକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି। ଯୁବତୀଙ୍କର ପ୍ରେମିକ ସହ ସମ୍ବନ୍ଧକୁ ପୋଲିସ ଯାଞ୍ଚ କରୁଛି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବୟାନ ଆଧାରରେ ପୋଲିସ ଯାଞ୍ଚ କରୁଛି। ଯୁବତୀଙ୍କ ମେଡିକାଲ ଯାଞ୍ଚ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେପରି ସତ ସାମ୍ନାକୁ ଆସିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.