ଲାଞ୍ଚ କାରବାରରେ ଭାରତ ୧ ନମ୍ବର : ଭାରତୀୟମାନେ ସବୁ କାମ ପାଇଁ ଲବି କରନ୍ତି, ବ୍ୟକ୍ତିଗତ ସମ୍ପର୍କକୁ ଉପଯୋଗ କରନ୍ତି

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ,୨୬|୧୧: ସରକାରଙ୍କ ନିରନ୍ତର ପ୍ରୟାସ ସତ୍ତ୍ୱେ ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି । ଏହି ଚେର କେତେ ଗଭୀର ତାହାର ଝଲକ ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ଏକ ସର୍ଭେ ଅନୁସାରେ ୪୭ ପ୍ରତିଶତ ଲୋକ କହିଛନ୍ତି ଯେ, ଦେଶରେ ଗତ ୧୨ ବର୍ଷରେ ଦୁର୍ନୀତି ହୁହୁ ହୋଇ ବଢିଛି । ଏହାସହ ୬୩ ପ୍ରତିଶତ ବିଶ୍ୱାସ କରୁଛନ୍ତି ଯେ, ସରକାର ଦୁର୍ନୀତି ରୋକିବାକୁ ଅନେକ ଚେଷ୍ଟା କରୁଛନ୍ତି । ଏହା ସତ୍ତ୍ୱେ ଭାରତରେ ଲାଞ୍ଚ କାରବାର ହାର ୩୯ ପ୍ରତିଶତ ବୋଲି ସର୍ଭେରେ କୁହାଯାଇଛି । ଯାହା ଏସିଆରେ ସର୍ବାଧିକ । ଏହାସହ ୪୬ ପ୍ରତିଶତ ସାଧାରଣ ଲୋକ କୌଣସି  କାମ ପାଇଁ ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର କରିଥାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ସର୍ଭେରେ ଆହୁରି କୁହାଯାଇଛି ଯେ, ଲାଞ୍ଚ ଦେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ । ୩୨ ପ୍ରତିଶତ ଲୋକ କହିଛନ୍ତି ଯେ, ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର ନକଲେ କାମ ହୁଏ ନାହିଁ ।

ଭାରତ ପରେ କମ୍ବୋଡିଆରେ ଲା଼ଞ୍ଚ କାରବାର ହାର ୩୭ ପ୍ରତିଶତ ରହିଛି । ଏହାପରେ ଇଣ୍ଡୋନେସିଆରେ ୩୦ ପ୍ରତିଶତ ରହିଛି । ମାଳଦ୍ୱୀପ ଓ ଜାପାନରେ ଏହା ସବୁଠାରୁ କମ୍ । ଏଠାରେ ଲାଞ୍ଚ କାରବାର ହାର ୨ ପ୍ରତିଶତ ଅଟେ ।

ସେହିପରି ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ, ନେପାଳରେ ୧୨ ପ୍ରତିଶତ ରହିଛି ଲାଞ୍ଚ ହାର । ଜାପାନରେ ସାର୍ବଜନୀନ ସେବା ପାଇବା ପାଇଁ ମାତ୍ର ୪ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କ ଉପରେ ଭରସା କରିଥାନ୍ତି । ଭାରତରେ ଏହି ସଂଖ୍ୟା ୪୬ ପ୍ରତିଶତ ଥିବା ବେଳେ ଇଣ୍ଡୋନେସିଆରେ ୩୬ ପ୍ରତିଶତ ଅଟେ ।

ବିଶ୍ୱ ଆର୍ଥିକ ମଞ୍ଚ ଜାନୁଆରୀରେ ଦାବୋସରେ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାଶନାଲ ଦ୍ୱାରା ଜାରି କରିଥିବା ଏକ ରିପୋର୍ଟରେ ଦୁର୍ନୀତି ତାଲିକାରେ ଭାରତକୁ ୮୦ ରାଙ୍କରେ ରଖିଥିଲା । ୧୮୦ଟି ଦେଶକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା ।

ଏହି ସର୍ଭେରେ ଏସିଆର ପ୍ରାୟ ୧୭ଟି ଦେଶର ୨୦ ହଜାର ଲୋକ ଭାଗ ନେଇଥିଲେ । ଜୁନରୁ ସେପ୍ଟମ୍ବର ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.