ବିଦ୍ୟୁତ୍ ବିଭାଗ ଠିକା କର୍ମଚାରୀ ନିଯୁକ୍ତିରେ ଲାଞ୍ଚ କାରବାର,ଭାଇରାଲ୍ ହେଲା ଅଡିଓ ଏବଂ ଭିଡିଓ

Published By : Prameya-News7 Bureau | August 05, 2021 IST

ନୟାଗଡ, ୦୫/୦୮: ନୟାଗଡ ଜିଲ୍ଲାରେ ଟିପିସିଓଡିଏଲ୍ ବିଦ୍ୟୁତ ବିତରକ ଦାୟୀତ୍ୱ ନେବା ପରଠାରୁ ଏଠାରେ କର୍ମଚାରୀ ନିଯୁକ୍ତି ଜାରୀ ରହିଛି । ବିଭାଗରେ ଠିକା କର୍ମଚାରୀ ନିଯୁକ୍ତିରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବଂ ଅଡିଓ ଏବେ ଭାଇରାଲ୍ ହୋଇଛି । ୧୦/୧୨ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଲାଞ୍ଚ ଦେଇପାରୁନଥିବାରୁ କାର୍ଯ୍ୟରୁ ଛଟେଇ କରାଯାଇଛି । ଏହାକୁ କେନ୍ଦ୍ର କରି ଠିକା କର୍ମଚାରୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଫିଡ୍କୋ ସମୟରୁ ଇମ୍ପେରିଆଲ୍ ନାମକ ଏକ ସଂସ୍ଥା ବିଦ୍ୟୁତ ମିଟର୍ ରିଡିଙ୍ଗ୍ ଏବଂ ବିଲ୍ ଆଦାୟ ଦାୟିତ୍ବ ନେଇଥିଲା । ଏହି ସଂସ୍ଥା ନୟାଗଡରେ ସହଦେବ ଦାଶ ଏବଂ ଶାନୁ ଦାଶ ନାମକ ବ୍ୟକ୍ତିଙ୍କୁ ଠିକା ଦାୟୀତ୍ବ ଦେଇଥିଲେ । ତବେ କାମ ସଠିକ୍ ନହେବା କାରଣରୁ ଟିପିସିଓଡିଏଲ୍ ଷ୍ଟେଲିଂ ଟେକ୍ ନାମକ ସଂସ୍ଥାକୁ ଦାୟୀତ୍ବ ଦେଇଥିଲା । ସଂସ୍ଥା ବଦଳିଥିଲେ ମଧ୍ୟ ସହଦେବ ଏବଂ ଶାନୁ ପୁଣିଥରେ ଠିକାଦାର କାମ ପାଇଥିଲେ । ଷ୍ଟେଲିଂ ଟେକ୍ କାମ ନେବା ପରେ ପୁରୁଣା କର୍ମଚାରୀଙ୍କୁ ଛଟେଇ କରାଯାଇ ନୂତନ କର୍ମଚାରୀ ନିଯୁକ୍ତି ପାଇଁ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ମଗାଗଲା । ଷ୍ଟେଲିଂ ଅଫିସ୍ ରେ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଏହି ଲାଞ୍ଚ କାରବାରର ମଧ୍ୟସ୍ତି ସାଜିଥିଲେ ।

ଏହି ଲାଞ୍ଚ କାରବାରର ଅଡିଓ ଏବଂ ଭିଡିଓ ଏବେ ଭାଇରାଲ୍ ହୋଇଛି । ତବେ ଲାଞ୍ଚ ଟଙ୍କା ଦେଇପାରିନଥିବା ପୁରୁଣା କର୍ମଚାରୀମାନେ ଛଟେଇ ପରେ ପରିବାର କିଭଳି ଚଳାଇବେ ସେହି ଚିନ୍ତାରେ ଅଛନ୍ତି । ପୁନଃ ନିଯୁକ୍ତି ଏବଂ ଷ୍ଟେଲିଂ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଠିକା କର୍ମଚାରୀ ସଂଘ ଟିପିସିଓଡିଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଆଗାମୀ ଦିନରେ ଦାବୀ ପୁରଣ ନହଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.