ଲାଞ୍ଚ ନେଇ ଫସିଗଲେ ନିର୍ବାହୀ ଯନ୍ତ୍ରୀ, ଭିଡିଓ ଭାଇରାଲ, ବାବୁ କିନ୍ତୁ କହୁଛନ୍ତି- 'କିଛି ଜାଣିନି, କିଏ ବଦମାସୀ କରିଛି'

Published By : Prameya-News7 Bureau | January 21, 2021 IST

ନୀଳଗିରି ୨୧।୦୧ : ପୁଣି ବିବାଦରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ପୁଣି ବିବାଦରେ ପଡିଛନ୍ତି । ଟିଏମସି ସେଣ୍ଟର ବିଲ୍ କରିବା ପରେ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ଆସିଛି । ଏପରିକି ଟଙ୍କା ପକେଟରେ ଚିତ୍ର ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟରେ ଅସହଯୋଗ କରିବା ନେଇ ପୂର୍ବରୁ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା  ବିରୋଧରେ ଅଞ୍ଚଳବାସୀ ଧାରଣା ଦେଇଥିଲେ।ଏପରିକି ସରକାରଙ୍କ ଠାରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦୃଷ୍ଟି ଆକର୍ଷଣ କରିଥିଲେ।ଗତ ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖ ଦିନ ପତ୍ରସଂଖ୍ୟା ୧୩୭୦୨ ଆଧାରରେ ପଞ୍ଚାୟତରାଜ ବିଭାଗ ସରକାରୀ ଅର୍ଥର ଦୂରୁପଯୋଗ ଓ ଚାକିରୀରେ ଅବହେଳା ନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ତଲବ କରିବାକୁ ନିର୍ଦେଶ ଦେଇଥିଲେ। ସେ ଘଟଣା ନଥମୁଣୁ ପୁଣି ଜଣେ ଠିକାଦାରଙ୍କ ଠାରୁ ଟଙ୍କା ଦାବି କରିବା ଓ ବିଲ୍ ପାସ କରିବା ଅଭିଯୋଗ ଉଠିଛି।

ସୂଚନା ଅନୁସାରେ, ଜଡିଦା ପଞ୍ଚାୟତ ପ୍ରହଲ୍ଲାଦ ନୋଡାଲ ସ୍କୁଲରେ ହୋଇଥିବା ଟିଏମସି ସେଣ୍ଟରରେ ମରାମତି ବାବଦକୁ ହେଇଥିବା କାର୍ଯ୍ୟର ବିଲ୍ ପାଇଁ ୧୦ ହଜାର ଟଙ୍କା ମାଗିବା ଓ ପରେ  ଠିକାଦାର ବିନୋଦ କୁମାର ମହାନ୍ତି ୬ ହଜାର ଟଙ୍କା ଦେଇଥିବା ଅଭିଯୋଗ ଉଠିଛି। ବିଲ୍ ପୈଠ କରିବାରେ ବିଳମ୍ବ କରିବା ପରେ ଆଗୁଆ ପିସି ନଦେଲେ ଚେକ୍ ମେଜରମେଣ୍ଟ କରିବେ ନାହିଁ ବୋଲି ଅଭିଯୋଗ ହୋଇଛି।ଶେଷରେ ବିନୋଦ ୬ ହଜାର ଟଙ୍କାକୁ ଡ୍ରରେ ରଖିବା ପରେ ବିଲ ପୈଠ ହୋଇଥିଲା।

ଟଙ୍କାକୁ କୁଆଡେ ଯନ୍ତ୍ରୀଜଣଙ୍କ ନେଇ ପକେଟରେ ଭର୍ତ୍ତି କରିଥିବା ବିନୋଦ କହିଛନ୍ତି।ଏସବୁ ଚିତ୍ରକୁ ସେ ଚତୁରତାର ସହ ଭିଡିଓ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳଙ୍କୁ ସେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଗୁରୁବାର ବ୍ଲକ ପରିସରରେ ଘଟଣାକୁ  ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଏଭଳି ଲାଞ୍ଚ ଅଭିଯୋଗର ତଦନ୍ତ ଜରୁରୀ ବୋଲି ଦାବି ହୋଇଛି। ଘଟଣାକୁ ନେଇ ବିଡିଓ ପ୍ରତିକ୍ରିୟା ରଖିବା ବଦଳରେ କାର୍ଯ୍ୟାଳୟରୁ କୁଆଡେ ଚାଲିଯାଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା।ଅଭିଯୋଗର ତଦନ୍ତ ହୋଇ ସତ୍ୟତା ବାହାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସେପଟେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡାଙ୍କ ପ୍ରତିକ୍ରିୟା ନେବା ପରେ କେତେବେଳେ କିଏ ବସୁଥିବେ ଆଉ ଫଟୋ କିଏ ଉଠାଇ ବଦମାସୀରେ କିଏ କଣ କରିଥିବେ ବୋଲି କହିଥିଲେ । ଏଭଳି ଘଟଣାର ତଦନ୍ତ ହୋଇ ସତ୍ୟତା ଲୋକଲୋଚନକୁ ଆସିବା ଜରୁରୀ ବୋଲି ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.