ଏନ୍‌ଆଇଏର ତିନି ଅଧିକାରୀ ଲାଞ୍ଚ ମାଗିଥିବା ଅଭିଯୋଗ, ବଦଳିପରେ ଆରମ୍ଭ ହେଲା ତଦନ୍ତ

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ .- ଏନ୍‌ଆଇଏର ତିନିଜଣ ଅଧିକାରୀ ଲାଞ୍ଚ ମାଗୁଥିବାର ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି ।  ଟେରର ଫଣ୍ଡିଂର ତଦନ୍ତ କରୁଥିବା ବେଳେ ଏହି ଅଧିକାରୀମାନେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ଏବେ ଡିଆଇଜି ରାଙ୍କ୍‌ର ଜଣେ ଅଧିକାରୀ ଏହି ଅଭିଯୋଗର ତଦନ୍ତ କରୁଛନ୍ତି  ବୋଲି ଏନ୍‌ଆଇଏର ମୁଖପାତ୍ର ସୂଚନା ଦେଇଛନ୍ତି । ଅଭିଯୋଗ ଆସିଥିବା ତିନି ଅଧିକାରୀଙ୍କର ବଦଳି କରିଦିଆଯିବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି । ନିରପକ୍ଷ ଭାବେ ତଦନ୍ତ କରାଯାଉଛି ବୋଲି ଏନ୍‌ଆଇଏର ମୁଖପାତ୍ର ସୂଚନା ଦେଇଛନ୍ତି ।

ଫଲାହ-ଏ –ଇନସାନିତ ନାମକ ମାମଲାରେ ଛନ୍ଦି ହୋଇଥିବା ଜଣେ ଉଦ୍ୟୋଗପତିଙ୍କ ନାମ ହଟାଇବା ପାଇଁ ୨ କୋଟି ଟଙ୍କା ଲାଞ୍ଚ ମଗାଯାଇଥିବା ଅଭିଯୋଗ ହୋଇଛି । ଟେରର ଫଣ୍ଡିଂ ବା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ଏହି ମାମଲାରେ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ବି ରହିଛି ।

ଅଭିଯୋଗ ଆସିବା ପରେ ତିନି ଅଧିକାରୀଙ୍କୁ ହଟାଇ ଦିଆଯାଇଛି ।ଏଥିପାଇଁ ଏନ୍ଆଇଏକୁ ଏକ ଅଭିଯୋଗ ମିଳିଥିଲା ।  ଏହି ଅଧିକାରୀମାନେ ପୂର୍ବରୁ ଅନେକ ମହତ୍ତ୍ୱପୂର୍ଣ୍ଣ ତଦନ୍ତରେ ସାମିଲ୍‌ ଥିଲେ  । ଏଥିରେ  ସମଝୋତା ଏକ୍ସପ୍ରେସ, ଅଜମେର ସରିଫ ବିସ୍ଫୋରଣ ମାମଲାବି  ରହିଛି । ଅଭିଯୋଗ ଆସିଥିବା ଜଣେ ଅଧିକାରୀ ଏସ୍‌ପି ରାଙ୍କର ହୋଇଥିବା ବେଳେ ଅନ୍ୟଜଣେ ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞ  । ଏମାନଙ୍କୁ ସୀମା ସୁରକ୍ଷା ବଳ ଓ ରାଷ୍ଟ୍ରୀୟ ଅପରାଧ ବ୍ୟୁରୋକୁ ବଦଳି କରାଯାଇଛି।

ଏନ୍‌ଆଇଏ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇଥିବା ବେଳେ ନିଜର ଛବି ନଷ୍ଟ କରିବାକୁ ଦେବନି ବୋଲି ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ କୌଣସି ତଥ୍ୟ ଲୁଚାଇବା ପାଇଁ ଦିଆଯିବ ନାହିଁ , ନିରପକ୍ଷ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଗୁରୁଗ୍ରାମର ଏହି ଉଦ୍ୟୋଗପତି ଗୋଟିଏ ମାସ ପୂର୍ବରୁ ଏନ୍‌ଆଇଏର ଜଣେ ଏସ୍‌ପି ଓ ଦୁଇଜଣ କନିଷ୍ଠ ଅଧିକାରୀଙ୍କ ନାମରେ ଲାଞ୍ଚ ମାଗୁଥିବାର ଅଭିଯୋଗ କରିଥିଲେ । ଏହି ତିନି ଅଧିକାରୀ ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲକଶର୍‌-ଏ-ତୋଏବାର ମୁଖିଆ ହାଫିଜ୍‌ ସୟଦ ଚଳାଉଥିବା ଟେରର ଫଣ୍ଡିଂ ମାମଲାର ତଦନ୍ତ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.