କରୋନା ସଂକ୍ରମଣ: ଆମେରିକାକୁ ଆଶ୍ୱସ୍ତି, ବ୍ରିଟେନ୍‌ରେ ସପ୍ତାହକୁ ଦୁଇଥର ଟେଷ୍ଟ

Published By : Prameya-News7 Bureau | April 06, 2021 IST

ଲଣ୍ଡନ, ୦୬/୦୪: ବିଶ୍ୱରେ ପ୍ରାୟତଃ କାଁ ଭାଁ କିଛି ଦେଶ ରହିଛି ଯେଉଁଠାରେ କି କରୋନା ଭାଇରସ୍‌ ପାଦ ପକାଇନାହିଁ । ଏହି ଭାଇରସ୍‌କୁ ହରାଇବା ପାଇଁ ସାରା ବିଶ୍ୱରେ ଟିକାକରଣ ଜାରି ରହିଛି । କିନ୍ତୁ ଏହାପରେ ବି କୋଭିଡ୍‌ର ରେକର୍ଡ ମାମଲା ସାମ୍ନାକୁ ଆସିଛି । ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ବ୍ରିଟେନ୍‌ ସରକାର ଟିକାକରଣ ଛଡ଼ା ଆଉ ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।  

ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶର ଅର୍ଥବ୍ୟବସ୍ଥାରକୁ ପୁଣିଥରେ ଟ୍ରାକ୍‌କୁ ଆଣିବା ପାଇଁ ଏକ ନୂଆ ଫ୍ରର୍ମୁଲା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅନୁସାରେ ନାଗରିକଙ୍କୁ ସପ୍ତାହରେ ଦୁଇଥର କରୋନା ଟେଷ୍ଟ କରିବାକୁ ପଡ଼ିବ । ସରକାର ଆଗକୁ ଆଉ ଲକ୍‌ଡାଉନ୍‌ ନଲଗାଇବା ପାଇଁ ଏହି ପ୍ରସ୍ତୁତି କରିଥିବା ଜଣାପଡ଼ିଛି ।

ବୋରିସ୍ ଏନେଇ କହିଛନ୍ତି ଯେ, ସ୍ଥାନୀୟ ମେଡିସିନ୍‌ ସପ୍‌, କମ୍ୟୁନିଟି ସେଣ୍ଟର୍‌ ଏବଂ ହୋମ୍‌ ଡେଲିଭରି ସର୍ଭିସ୍‌ ଜରିଆରେ ଟେଷ୍ଟ୍‌ କିଟ୍‌ ଉପଲବ୍ଧ କରାଯିବ । ବ୍ରିଟେନ୍‌ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଏପ୍ରିଲ୍‌ ପ୍ରଥମ ସପ୍ତାହରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ତେବେ ଆମେରିକାରେ କରୋନା ଭାଇରସ୍‌କୁ ନେଇ ଦୈନିକ ମାମଲା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ମାତ୍ର ୩୬,୯୮୩ ନୂଆ ମାମଲା ଆମେରିକାରେ ସାମ୍ନାକୁ ଆସିଛି । ୨୭ ସେପ୍ଟେମ୍ୱର ପରେ ପ୍ରଥମ ଥର ପାଇଁ ୪୦ ହଜାରରୁ କମ୍‌ ମାମଲା ରେକର୍ଡ ହୋଇଛି । ଏହାଛଡ଼ା ବାଂଲା ଦେଶରେ କୋଭିଡ୍‌ ମାମଲା ବଢ଼ୁଥିବାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.