ଭାଙ୍ଗିଲେ ନିୟମ ! ଏବେ ଜମା କରୁ ନାହାନ୍ତି ଚାଲାଣ, ଖତଗଦାରେ ନୂଆ ମୋଟର ଯାନ ଆଇନ
14/01/2021 at 6:50 PM

ମିରଟ ୧୪।୧: ସଂଶୋଧିତ ମୋଟର ଯାନ ଆଇନକୁ ଉତ୍ତରପ୍ରଦେଶରେ ବାହନ ଚାଳକ ମାନୁ ଥିବା ପରି ମନେ ହୁଏନି। ଟ୍ରାଫିକ ନିୟମ ଉଲ୍ଲଂଘନ ଲାଗି ପୋଲିସ ଚାଲାଣ ପରେ ଚାଲାଣ କାଟି ଚାଲିଛି। ଲୋକେ ପୋଲିସଠୁ ଚାଲାଣ ନେଇ ଚାଲିଯାଉଛନ୍ତି ହେଲେ ମାମଲାର ସମାଧାନ କରୁ ନାହାନ୍ତି। ଏପରି ପ୍ରାୟ ୫୦ ହଜାର ଚାଲାଣ ମାମଲାର ଏପର୍ଯ୍ୟନ୍ତ ଫୈସଲା ହୋଇ ପାରିନଥିବା ଜଣାପଡିଛି।

ନିୟମ ଅନୁସାରେ ପୋଲିସ ଚାଲାଣର ୩ ମାସ ସୁଧା ବାହନ ଚାଳକ ସମାଧାନ କରାଇ ନେବା କଥା। ନଚେତ ମାମଲାକୁ ପୋଲିସ କୋର୍ଟ ପଠାଇଦେବ। ହେଲେ ଅନଲାଇନ ଚାଲାଣ ମାମଲା ନିମନ୍ତେ ଏପର୍ଯ୍ୟନ୍ତ କୋର୍ଟଙ୍କ ଆଇଡି ତିଆରି ହୋଇନି। ଏଣୁ ପୋଲିସ ଏପରି ମାମଲା କୋର୍ଟକୁ ମଧ୍ୟ ପଠାଇ ପାରୁନି। ଏହା ଦିନେ ଦୁଇ ଦିନ କି ମାସେ ବର୍ଷର କଥା ନୁହେଁ, ଦେଶରେ ଶଂସୋଧିତ ମୋଟରଯାନ ଆଇନ ଲାଗୁ ଠାରୁ ମିରଟରେ ଗୋଟେ ବି ଚାଲାଣ ମାମଲାର ସମାଧାନ ହୋଇ ନଥିବା ଜଣାପଡିଛି।

ବାହନ ଚାଳକ ପୋଲିସଠାରୁ ଚାଲାଣ ନେଇ ଚାଲିଯିବା ପରେ ଆଇନ ଓ ଚାଲାଣ ଉଭୟକୁ ଭୁଲି ଯାଉଛନ୍ତି। ଅଧିକାଂଶ ବାହନ ଚାଳକଙ୍କୁ ସେମାନଙ୍କ ବାହନର ପଲ୍ୟୁସନ ସାର୍ଟିଫିକେଟ୍ ନଥିବା ଯୋଗୁ ଚାଲାଣ ଦିଆଯାଇଛି। ସେହିପରି ବିନା ହେଲମେଟ୍ ଓ ଡ୍ରାଇଭିଂ ଲାଇସେନ୍ସରେ ବାହନ ଚାଳନା ଲାଗି ମଧ୍ୟ ହଜାର ହଜାର ଚାଲାଣ କଟିଛି। ଏଣୁ ୟୁପିରେ ବାହନ ଚାଳକ ନୂଆ ମୋଟରବାହନ ଆଇନକୁ ଏବେ ଭୃକ୍ଷେପ ମଧ୍ୟ କରୁ ନାହାନ୍ତି।

ତେବେ ପୋଲିସ ବଢିଚାଲିଥିବା ଚାଲାଣ ମାମଲା ସଲଟାଇବା ଲାଗି ପଦକ୍ଷେପ ନେବାକୁ ଯାଉଛି ବୋଲି ଟ୍ରାଫିକ ଅଧିକାରୀ କହିଛନ୍ତି। ଏପରି ମାମଲା ପର୍ଯ୍ୟାୟ କ୍ରମେ କୋର୍ଟଙ୍କୁ ପଠାଇବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଛନ୍ତି। ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏପରି ୫୦ ହଜାର ମାମଲାର ସମାଧାନ ନ ହୋଇ ପଡି ରହିଥିବା ଜଣାପଡିଛି।