Breaking News : News7 (20.08.2018)

Published By : Prameya-News7 Bureau | August 20, 2018 IST

1. କଟକ ବାଲିକୁଦା ଷ୍ଟେସନରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍ । ରେଲୱେ ସୂଚନା ଅନୁସାରେ ଗୋପାଳପୁର ବାଲିକୁଦା ଷ୍ଟେସନରେ ଆଜି ଦିନ ସାଢ଼େ ୨ଟା ରୁ ସାଢ଼େ ୪ଟା ମଧ୍ୟରେ ଫୁଟ୍ ଓଭର୍ ବ୍ରିଜ୍ ମରାମତି କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଏକ ରୋଡ୍ କ୍ରେନ୍ କାମରେ ଲାଗିଥିଲା । କାମ ସରିବା ପରେ କ୍ରେନ୍ ହଟାଇ ଦିଆଯାଇଥିଲା । ରୋଡ୍ କ୍ରେନ୍ କଟକ ଆସୁଥିଲା । ଏହି ସମୟରେ ରେଳ ଧାରଣାର କିଛି ଅଂଶ ନଷ୍ଟ ହୋଇଯାଇଥିଲା । ଏହାକୁ ଦେଖିବା ପରେ ତୁରନ୍ତ ସେଠାରେ ଲାଲ୍ ପତାକା ଲଗାଯାଇଥିଲା। ଏହି ସମୟରେ ଆସୁଥିଲା ମେମୁ ଟ୍ରେନ୍ । ଲାଲ୍ ପତାକା ଦେଖି ଡ୍ରାଇଭର୍ ଟ୍ରେନ ଅଟକାଇଥିଲେ । ୪୦ ମିନିଟ୍ ପରେ ଟ୍ରାକ୍ ମରାମତି ହୋଇଥିଲା । ଏହା ପରେ ମନ୍ଥର ବେଗରେ ଛାଡ଼ିଥିଲା ଟ୍ରେନ୍ । ଏହି ଘଟଣା ପରେ ଖୋର୍ଦ୍ଧା ଡି.ଆର୍.ଏମ୍ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ କମିଟି ତାର ରିପୋର୍ଟ ଦେବ । 2. କଟକ ୪୨ ମୌଜା ଭାରଗୋଳ ଗାଁରେ ସ୍ତ୍ରୀକୁ ହାତୁଡ଼ିରେ ଛେଚି ହତ୍ୟା କଲା ସ୍ବାମୀ । ମୃତକ ହେଉଛନ୍ତି ସୁକାନ୍ତ ବେହେରାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ବେହେରା । ପୋଲିସ୍ ମୃତଦେହ ଜବତ କରିବା ସହିତ, ଅଭିଯୁକ୍ତ ସୁକାନ୍ତ ବେହେରାକୁ ଗିରଫ କରିଛି । ବାପା ସୁକାନ୍ତ ମାଆ ଗୀତାଞ୍ଜଳୀଙ୍କୁ ହତ୍ୟା କରିଥିବା ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି ଗୀତାଞ୍ଜଳୀଙ୍କ ୪ ଝିଅ । ଘଟଣାସ୍ଥଳରୁ ପୋଲିସ୍ ହାତୁଡ଼ି ଜବତ କରି ଘଟଣା ସମ୍ପର୍କରେ ଅଧିକ ଛାନଭିନ କରୁଛି । 3. ସୁନ୍ଦରଗଡ଼ ରାଜଗାଙ୍ଗପୁର କୁତ୍ରା ରାସ୍ତା ଗମାରଡିହରେ ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ରାଉରକେଲା ଆଇ.ଜି.ଏଚ୍.କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଗଜପତି ମୋହନା ଶିମୁଳି ଘାଟିରେ ଅଟୋ ଓଲଟି ୧୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ଅଟୋଟି ସେମାନଙ୍କ ଘରକୁ ଫେରୁଥିଲା । ଏହି ସମୟରେ ଅଟୋଟି ଓଲଟି ପଡ଼ିଥିଲା । ଆହତମାନଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.