କରୋନା ଯୋଗୁଁ ବ୍ରେକ ଡାଉନ: ରାସ୍ତାରେ ଫସି ରହିଛନ୍ତି ଅଢେଇ ଲକ୍ଷ ଟ୍ରକ ଡ୍ରାଇଭର, କଣ ହେବ ସେମାନଙ୍କ ଅବସ୍ଥା

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪/୦୩ : କରୋନା ଯୋଗୁଁ ପୁରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି | ଫଳରେ ଜାତୀୟ ଓ ରାଜ୍ୟ ରାଜପଥରେ ପାଖାପାଖି ଅଢେଇ ଲକ୍ଷ ଟ୍ରକ ଡ୍ରାଇଭର ଫସି ରହିଛନ୍ତି | ଏହି ଡ୍ରାଇଭରମାନେ ବିଭିନ୍ନ କାରଖାନା ଓ ଗୋଦାମରୁ ଜିନିଷ ନେଇ ବାହାରିଥିଲେ | କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଂଚିବା ପୂର୍ବରୁ କର୍ଫ୍ୟୁ ଜାରି ହେବା ଫଳରେ ରାସ୍ତାରେ ଫସିଗଲେ | ସବୁଠାରୁ ବଡ ଚିନ୍ତାର କାରଣ ହେଲା ଏମାନେ ଫସି ରହିଥିବା ଆଖପାଖ ଅଞ୍ଚଳ ଖାଇବା ପିଇବାର କୌଣସି ସୁବିଧା ନାହିଁ | ଏପଟେ ଏମାନେ ଫେରି ବି ପାରୁନାହାନ୍ତି | 

ଅଧିକାଂଶ ଡ୍ରାଇଭରଙ୍କ ପାଖରେ ଟଙ୍କା ବି ନାହିଁ | ସଡକ ପରିବହନ କ୍ଷେତ୍ରରେ କାମ କରୁଥିବା ଇଣ୍ଡିଆନ ଫାଉଣ୍ଡେସନ ଅଫ ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂର ସିନିୟର ଅଫିସର କହିଛନ୍ତି ଯେ, ଜାମ୍ମୁ ଉଦ୍ୟୋଗୀକ କ୍ଷେତ୍ର ଓ ହିମାଚଳ ପ୍ରଦେଶର ନାଲାଗଡ଼ ଅଞ୍ଚଳରେ ଏବଂ ପଞ୍ଜାବ ହରିୟାଣାରୁ ଜିନିଷ ନେଇ ଦେଶର ବିଭିନ୍ନ ସ୍ଥାନକୁ ଡେ଼ଲିଭର କରିବା ପାଇଁ ବାହାରିଥିଲେ | ଏମାନେ ୩/୪ ପୂର୍ବରୁ ବାହାରିଥିଲେ | କିନ୍ତୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପୂର୍ବରୁ କର୍ଫ୍ୟୁ ଜାରି ହୋଇଗଲା | କର୍ଫ୍ୟୁ ଯୋଗୁଁ ରାସ୍ତା କଡରେ ଥିବା ହୋଟେଲ ଢ଼ାବା ବି ବନ୍ଦ ରହିଛି | ସେଥିପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ବର୍ତ୍ତମାନ ସବୁଠାରୁ ବଡ ସଙ୍କଟ ହେଲା ଏମାନେ ରହିବେ କେଉଁଠି, ଖାଇବେ କଣ ? ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ଦକ୍ଷିଣ ଭାରତୀୟ ରାଜ୍ୟରୁ ବାହାରିଥିବା ଟ୍ରକ ମଧ୍ୟ ରାସ୍ତାରେ ଫସି ରହିଛନ୍ତି | ଅଧିକାଂଶ ଡ୍ରାଇଭରଙ୍କ ପାଖରେ ଡିଜେଲ ପାଇଁ ଫ୍ଲିଟ କାର୍ଡ ଅଛି କିନ୍ତୁ ନଗଦ ଟଙ୍କା ନାହିଁ |

ସବୁଠାରୁ ଅଧିକ ଡ୍ରାଇଭର ବିହାର ଓ ଉତ୍ତର ପ୍ରଦେଶରେ ଫସି ରହିଛନ୍ତି | ଏହି ଡ୍ରାଇଭରମାନେ ଜିନିଷ ନେଇ ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ ଯାଉଥିଲେ | ରବିବାର ଜନତା କର୍ଫ୍ୟୁ ଯୋଗୁଁ ଏମାନେ ଅଧା ରାସ୍ତାରେ ଅଟକି ରହିଥିଲେ | କିନ୍ତୁ ସୋମବାର ଠାରୁ ଲକଡାଉନ ହୋଇଯାଇଛି | ବର୍ତ୍ତମାନ ପଞ୍ଜାବ ଓ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଗମ୍ଭୀର କାରଣ ଏଠାରେ ଆନ୍ତଃରାଜ୍ୟ କର୍ଫ୍ୟୁ ଜାରି କରାଯାଇଛି | ଆନ୍ତଃରାଜ୍ୟ କର୍ଫ୍ୟୁ ଫଳରେ ଟ୍ରକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ | ଟ୍ରକଗୁଡିକ ଶନିବାର ଠାରୁ ସେଇଠି ଅଟକି ରହିଛି ଯେଉଁଠି ଥିଲା | ଏପଟେ ଟ୍ରକ ଡ୍ରାଇଭରଙ୍କ ପାଖରେ ଟଙ୍କା ବି ନାହିଁ | ରାସ୍ତାରେ ଲୁଟ ହୁଏ ବୋଲି ଟ୍ରକ ଡ୍ରାଇଭର ଅଧିକ ଟଙ୍କା ରଖିନଥାନ୍ତି | ଜିନିଷ ଡେ଼ଲିଭର କରିବା ପରେ ଫେରିବା ପାଇଁ ତାଙ୍କୁ ଟଙ୍କା ଦିଆଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.