Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ଗସ୍ତରେ ପହଞ୍ଚିଲେ ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ, ଏହି ସବୁ ବୁଝାମଣାରେ କରିବେ ସ୍ୱାକ୍ଷର

ନୂଆଦିଲ୍ଲୀ ୨୪।୧:  ବ୍ରାଜିଲ ରାଷ୍ଟ୍ରପତି ଜେୟର ମେସିୟସ୍ ବୋଲସୋନାରୋ ୪ ଦିବସୀୟ ରାଜକୀୟ ଗସ୍ତରେ ଶୁକ୍ରବାର ଭାରତ ପହଞ୍ଚିଛନ୍ତି। ୭୧ତମ ସାଧାରଣତନ୍ତ୍ର ଦିବସରେ ବୋଲସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବା ସଙ୍ଗକୁ ଭାରତ ଓ ବ୍ରାଜିଲ ଘନିଷ୍ଟ ସାମରିକ ସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭାରତ ଆଗମନ ଅବସରରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବି.ମୂରଲୀଧରନ ବୋଲସୋନାରୋଙ୍କୁ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ।

ବ୍ରାଜିଲ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ସାମାଜିକ ସୁରକ୍ଷା, ବାୟୋ ଏନେର୍ଜି, ସାଇବର ସୁରକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଆଦି ୧୫ଟି ବୁଝାମଣା ସ୍ୱାକ୍ଷରିତ ହେବ ବୋଲି ଜଣାପଡିଛି। ତେବେ ବୋଲସୋନାରୋଙ୍କ ଏହି ଗସ୍ତ ଭାରତର ସାମରିକ ସମ୍ପର୍କକୁ ନୂଆ ଶକ୍ତି ପ୍ରଦାନ କରିବ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରାଳୟଙ୍କ ପୂର୍ବତନ ସଚିବ ବିଜୟ ଠାକୁର ସିଂହ କହିଥିଲେ। ରାଷ୍ଟ୍ରପତିଙ୍କ ସହ ବ୍ରାଜିଲର ୪ ଜଣ ସାଂସଦ, ୮ ମନ୍ତ୍ରୀ, ବ୍ରାଜିଲ-ଭାରତ ମୈତ୍ରୀ ସମୂହ ଅଧ୍ୟକ୍ଷ, ବରିଷ୍ଠ ଅଧିକାରୀ ଓ ଏକ ବ୍ୟାପାରିକ ପ୍ରତିନିଧି ମଣ୍ଡଳ ମଧ୍ୟ ଗସ୍ତରେ ଆସିଛନ୍ତି।

ତେବେ ବୋଲସୋନାରୋଙ୍କ ପୂର୍ବରୁ ୨୦୧୬ ମସିହାରେ ତତ୍କାଳୀନ ବ୍ରାଜିଲ ରାଷ୍ଟ୍ରପତି ମିଶେଲ ଟେମର ପ୍ରଥମଥର ଭାରତ ଗସ୍ତରେ ଆସିଥିଲେ। ସେହିପରି ଗତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଭାଗନେବା ଲାଗି ପ୍ରଥମ ଥର ବ୍ରାଜିଲ ଗସ୍ତରେ ଯାଇଥିଲେ। ତେବେ ଏହା ପୂର୍ବରୁ ୧୯୯୬ ଓ ୨୦୦୪ ସାଧାରଣନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରମୁଖ୍ୟମାନେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇଥିଲେ।

   Related Posts