ଦୁଇ ଭଉଣୀ ସବିତା-ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର, ନିପାଣିଆ ଡଙ୍ଗା ବୁଡିରେ ଜୀବନକୁ ବାଜି ଲଗାଇ ୩୫ଜଣଙ୍କୁ କରିଥିଲେ ଉଦ୍ଧାର

Published By : Prameya-News7 Bureau | August 28, 2020 IST

ମହାକାଳପଡ଼ା ୨୮।୦୮: ଦୁଇ ଭଉଣୀଙ୍କ ଅପୂର୍ବ ସାହସିକତାକୁ ସରକାରୀ ସ୍ତରରେ ମିଳିବ ବିଧିବଦ୍ଧ ସ୍ୱୀକୃତି। ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ତ୍ରାଣକର୍ତ୍ତା ସାଜି ବିପନ୍ନମାନଙ୍କୁ ଉଦ୍ଧାର କରିଥିବା ମହାକାଳପଡ଼ାର ଦୁଇ ସମ୍ପର୍କୀୟ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ୨୦୧୯ ବର୍ଷ ପାଇଁ ମିଳିବ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୨୯ ତାରିଖରେ ପାଳିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ଦିବସ ଉତ୍ସବରେ ସେମାନଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

ଆସନ୍ତା ୨୯ ତାରିଖ ଭୁବନେଶ୍ୱର ଲୋକସେବା ଭବନର ତୃତୀୟ ମହଲାରେ ଏହି ଦୁଇ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ । ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ସହିତ ରୁପା ପଦକ ଓ ମାନପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । ପୂର୍ଣ୍ଣିମା ଓ ସବିତାଙ୍କର ଏହି କୃତିତ୍ୱ ପାଇଁ କେନ୍ଦ୍ରାପଡା ଜିଲ୍ଲା ଗୌରବାନ୍ୱିତ ହେବା ସହ ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ୍‌ ବସନ୍ତ କୁମାର ରାଉତ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଉଭୟଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

୨୦୧୯ ଜାନୁୟାରୀ ୨ ତାରିଖ ସକାଳେ କୁଜଙ୍ଗ ବ୍ଳକର ହଂସିଣା ଗ୍ରାମର ଏକାଧିକ ପରିବାରର ପ୍ରାୟ ୫୯ ଜଣ ସଦସ୍ୟ ନୂଆବର୍ଷ ଖୁସି ମନାଇବାକୁ ହୁକିଟୋଲା ବୁଲି ଯାଇଥିଲେ। ସେଠାରୁ ବଣଭୋଜି ସାରି ଫେରୁଥିବା ବେଳେ ଅନ୍ୟ ଏକ ବୋଟ ଉକ୍ତ ଜଳପଥ ଦେଇ ଅତିକ୍ରମ କରିବାରୁ ଉକ୍ତ ବୋଟ୍‍ ସହ ଧକ୍କା ହୋଇଯାଇଥିବା ଆଶଙ୍କା କରି ସମସ୍ତ ଯାତ୍ରୀ ଡଙ୍ଗାର ଗୋଟିଏ ପାଖକୁ ଚାଲି ଆସିଥିଲେ। ଫଳରେ ଡଙ୍ଗାଟି ଏପଟସେପଟ ହୋଇ ଲେଉଟି ପଡ଼ିଥିଲା । ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ଦେବଦୂତ ସାଜି ଉଭା ହୋଇଥିଲେ ଦୁଇ କୁନି ଝିଅ ପୂର୍ଣିମା ଓ ସବିତା। ସେତେବେଳେ ବତୀଘର ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଏବଂ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା ପ୍ରବଳ ଥଣ୍ଡା, ଶୀତ ଓ ପ୍ରତିକୂଳ ପାଗକୁ ଖାତିର ନକରି ନଦୀକୂଳରେ ପହଞ୍ଚି ଯାଇଥିଲେ ସେମାନଙ୍କୁ ଉଦ୍ଧାର କରିବାକୁ।

ଦୁଇ ଭଉଣୀ ପାଣି ଭିତରେ ପଶି ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ଟାଣି ଆଣିଥିଲେ ନଦୀକୂଳକୁ। ଉଦ୍ଧାରକାରୀ ଦଳ ପହଞ୍ଚିବା ଆଗରୁ ପ୍ରାୟ ସମସ୍ତ ଯାତ୍ରୀଙ୍କୁ ସେମାନେ ସୁରକ୍ଷିତ ଭାବେ କୂଳକୁ ଆଣି ନିଆଁ ପୁଆଁଇବାର ବ୍ୟବସ୍ଥା କରିଥିଲେ। ଅନ୍ଧାର ରାତିରେ ଦୁଇ ଭଉଣୀଙ୍କ ଅଦମ୍ୟ ସାହସିକତା, ମାନବିକତାର ଭୁରିଭୁରି ପ୍ରଶଂସା କରାଯାଇଥିଲା । ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ପୂର୍ବରୁ ପୂର୍ଣ୍ଣିମା ଓ ସବିତା ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.