ବ୍ରଜରାଜନଗର ଉପନିର୍ବାଚନ : ନେତା ବାଛିବେ ୨ ଲକ୍ଷ ୧୪ ହଜାରରୁ ଅଧିକ ଭୋଟର, କମ୍ ମତଦାନ ହୋଇଥିବା ବୁଥରେ 'ମୁଁ ବି ଭୋଟ୍ ଦେବି' ଅଭିଯାନ

Published By : Prameya-News7 Bureau | May 20, 2022 IST

ଭୁବନେଶ୍ୱର ୨୦/୦୫: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ  ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି। ମଇଦାନରେ ମୋଟ ୧୧ ଜଣ ପାର୍ଥୀ ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ସେ କହିଛନ୍ତି ଯେ, ଭୋଟର ତାଲିକା ଚୁଡାନ୍ତ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଅଛନ୍ତି। ସୋମନଙ୍କ ମଧ୍ୟରୁ ୩ ହଜାର ୫୨୦ ଦିବ୍ୟାଙ୍ଗ ଭୋଟର। ୧୬୨୮ ଭୋଟର ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଅଟନ୍ତି । ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ଏହାସହ ଭୋଟିଂ ପାଇଁ ୩୧୯ ଇଭିଏମ ପ୍ରସ୍ତୁତ ରହିଛି। ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ ।  ମୋଟ ୨୭୯ ବୁଥ କରାଯାଇଛି। ଗତ ନିର୍ବାଚନରେ ହୋଇଥିବା ବୁଥ ମଧ୍ୟରୁ ୩ ଟା ବୁଥ ସ୍ଥାନାନ୍ତର କରାଯାଇଛି।  ଅନ୍ୟ ସବୁ ବୁଥ  ସମାନ ରହିଛି।

ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ।  ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଆଜିଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି। ଯେଉଁମାନଙ୍କ ଘରୁ ଭୋଟ ସଂଗ୍ରହ ହେବ ସେମାନେ ଆଉ ବୁଥରେ ଭୋଟ ଦେଇ ପାରିବେନି। ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବାଲଟ ପଠା ସରିଛି। ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ। ଝାରସୁଗୁଡା ଇଞ୍ଜିନିୟର ସ୍କୁଲରେ ସ୍ୱତନ୍କ୍ର କେନ୍ଦ୍ର ହେବ ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ପୁଲିଂ ଅଧିକାରୀଙ୍କ ପାଇଁ ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସକୁ ଥାନାରେ ଡିପୋଜିଟ କରାଯାଇଛି। ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ ଏଲବିଡବ୍ଲୁ ଜାରି କରାଯାଇଛି। ଏହି ସମୟରେ  ୮୩୫ ଲିଟର ମଦ ଜବତ କରାଯାଇଛି। ୧୯୫୦ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଯେଉଁଥିରେ ଭୋଟର ଅଭିଯୋଗ ଓ ସମସ୍ୟା ଶୁଣାଯିବ।

ସେହିପରି ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ  ହେବ। ଆବଶ୍ୟକ ସ୍ଥାନରେ ଭିଡିଓଗ୍ରାଫି କରାଯିବ।  ଯେଉଁ ବୁଥରେ ଗତଥର କମ ଭୋଟି ହୋଇଥିଲା ସେଠାରେ ମୁଁ ବି ଭୋଟ ଦେବି  ନାମରେ  କ୍ୟାମ୍ପନ କରାଯାଉଛି।  ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି। ମୋଟ ୩୦ଟି ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ  ବ୍ୟବସ୍ଥା ରହିଛି। ୫ଟି ପିଙ୍କ ବୁଥ ରହିଛି। ସବୁ ବୁଥରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେନେଇ ରାଜନୈତିକ ଦଳ ଗୁଡିକ ସୂଚନା ଦେବେ ବୋଲି ସୁଶୀଲ ଲୋହାନୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.