ଏହି ସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ; ରହିଛି ବ୍ରେନ ଟ୍ୟୁମର ହେବାର ଆଶଙ୍କା

Published By : Prameya-News7 Bureau | November 24, 2018 IST

ଭୁବନେଶ୍ୱର ୨୪/୧୧ : ବର୍ତ୍ତମାନ ଯୁଗରେ ସବୁଠାରୁ ଗୁରୁତ୍ୱପୂର୍ଣ ହେଲା ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା | ଯୁଗ ଯେମିତି ହେଲାଣି କେତେବେଳେ ଯେ କେଉଁ ରୋଗ ମାଡିଯାଉଛି କହିବା ଅସମ୍ଭବ | ବର୍ତ୍ତମାନ ସମୟରେ ସବୁଠାରୁ ଭୟଙ୍କର ରୋଗ ହେଉଛି କ୍ୟାନସର | ଠିକ ସମୟରେ ରୋଗ ନ ଚିହ୍ନିଲେ ଜୀବନ ଚାଲିଯିବାର ସମ୍ଭାବନା ସବୁଠୁ ଅଧିକ | ଏବେ କ୍ୟାନସର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି | ପିଲାଙ୍କ ଠୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତଙ୍କୁ କ୍ୟାନସର ନିଜ ଅକ୍ତିଆରକୁ ନେଇ ଚାଲିଛି | ଆରମ୍ଭରୁ କ୍ୟାନସରର ଲକ୍ଷଣ ଜାଣିବା ସମ୍ଭବ ହୋଇନଥାଏ | ବ୍ରେନ ଟ୍ୟୁମର ଆଶଙ୍କା ମଧ୍ୟ ରହିଛି | ଆସନ୍ତୁ ଜାଣିବା ବ୍ରେନ ଟ୍ୟୁମରର କିଛି ଲକ୍ଷଣ | ଯାହା ଦ୍ୱାରା ଆପଣ ଅବଗତ ରହି ପାରିବେ | ବ୍ରେନ ଟ୍ୟୁମର ହେଲେ ମସ୍ତିସ୍କର କୋଷଗୁଡିକ ଦରକାର ଠୁ ଅଧିକ ବଢ଼ିବାରେ ଲାଗିଥାଏ | ଏହା ଦ୍ୱାରା ଆଖପାଖ କୋଷ ନଷ୍ଟ ହୋଇଯାଇଥାଏ | ବ୍ରେନ ଟ୍ୟୁମର ଦୁଇ ପ୍ରକାରର : ପ୍ରାଇମେରୀ ବ୍ରେନ ଟ୍ୟୁମର - ଏହା ମସ୍ତିସ୍କର ଯେଉଁ ଅଙ୍ଗରେ ବାହାରେ ସେହିଠାରେ ହିଁ ବଢ଼ିବାରେ ଲାଗେ | ସେକଣ୍ଡାରୀ ବ୍ରେନ ଟ୍ୟୁମର - ଏହି କ୍ୟାନସର ସାଧାରଣତଃ ଶରୀରର କେଉଁ ଏକ ଅଙ୍ଗରେ ଆରମ୍ଭ ହୋଇଥାଏ | ଧୀରେ ଧୀରେ ଏହା ବଢି ଶରୀରର ବିଭିନ୍ନ ଅଙ୍ଗକୁ ପ୍ରସାରିତ ହୋଇଥାଏ | ମସ୍ତିସ୍କ, କିଡ୍ନୀ, ହୃତପିଣ୍ଡ, ଚର୍ମ ଏଭଳି ଅନେକ ଅଙ୍ଗକୁ ମାଡି ଚାଲେ | ଲଣ୍ଡନର ଜଣେ ନ୍ୟୁରୋ ସର୍ଜନ ଏବଂ ମେଡିକାଲ ନିର୍ଦେଶକଙ୍କ କହିବା ଅନୁଯାୟୀ, ବେଳେବେଳେ କ୍ୟାନସରର ଲକ୍ଷଣ ସାମ୍ନାକୁ ଆସିଥାଏ, କିନ୍ତୁ ଲୋକ ଏହା ପ୍ରତି ଧ୍ୟାନ ଦିଅନ୍ତିନାହିଁ | କାରଣ ଏହି ସବୁ ଲକ୍ଷଣ ଲୋକଙ୍କୁ ସାଧାରଣ ଭଳି ଲାଗିଥାଏ | ଯାହାଫଳରେ ଲୋକେ ଏହି ରୋଗକୁ ଚିହ୍ନି ପାରନ୍ତିନାହିଁ ଏବଂ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଆସନ୍ତୁ ଜାଣିବା ବ୍ରେନ ଟ୍ୟୁମରର ଲକ୍ଷଣ : ମୁଣ୍ଡ ବ୍ୟଥା- ଅଯଥାରେ ଯଦି ସବୁବେଳେ ମୁଣ୍ଡ ବିନ୍ଧେ ତେବେ ଏହା ବ୍ରେନ ଟ୍ୟୁମରର ଆଶଙ୍କା କରାଯାଇପାରେ | ଲଣ୍ଡନର ନ୍ୟୁରୋଲୋଜିଷ୍ଟଙ୍କ କହିବା ଅନୁଯାୟୀ ବ୍ରେନ ଟ୍ୟୁମର ଥିଲେ ପ୍ରାୟ ସକାଳୁ ସକାଳୁ ମୁଣ୍ଡ ଜୋରରେ ବିନ୍ଧି ଥାଏ ଏବଂ ସନ୍ଧ୍ୟାକୁ ଧୀରେ ଧୀରେ କମିଯାଇଥାଏ | କେତେକ କ୍ଷେତ୍ରରେ ବ୍ରେନ ଟ୍ୟୁମର ଧୀରେ ଧୀରେ ବଢିଥାଏ ତା କେଉଁଠି ଅତି ଶୀଘ୍ର ବଢିଥାଏ | ମୁଣ୍ଡ ବିନ୍ଧ ସହ ଯଦି ଆପଣଙ୍କୁ ଅସ୍ତବ୍ୟସ୍ତ ଲାଗୁଥାଏ ତାହେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ | ମୁଣ୍ଡ ବୁଲେଇବା- ହଠାତ ଛିଡା ହେଲେ ଆଖି ସାମ୍ନାରେ ଅନ୍ଧାର ଥିବା ଭଳି ଯଦି ଲାଗେ ଏବଂ ମୁଣ୍ଡ ବୁଲେଇହୁଏ ତାହେଲେ ମଧ୍ୟ ବ୍ରେନ ଟ୍ୟୁମରର ଆଶଙ୍କା ରହିଛି | ମୁଣ୍ଡ ବୁଲେଇହେବା ସହ ଯଦି ବାନ୍ତି ହେଉଥାଏ ତାହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ | ମସ୍ତିସ୍କରେ ଥିବା ରସ ସହ କ୍ୟାନସର କୋଷ ମିଶିଗଲେ ଏଭଳି ହୋଇଥାଏ | ସ୍ମରଣ ଶକ୍ତି କମିଯିବା-ଏହାର ଅନ୍ୟ ଏକ ଲକ୍ଷଣ ହେଲା ସ୍ମରଣ ଶକ୍ତି କମିଯିବା | ଟ୍ୟୁମର ହେବ ଦ୍ୱାରା ଧୀରେ ଧୀରେ ସ୍ମରଣ ଶକ୍ତି କମି କମି ଯାଏ | କ୍ୟାନସର ଭଳି ଘାତକ ରୋଗ ଶରୀରର ଯେକୌଣସି ଅଙ୍ଗରେ ହୋଇଥିଲେ ମଧ୍ୟ ଧୀରେ ଧୀରେ ଏହା ବଢି ବଢି ବ୍ରେନକୁ ମାଡିଯାଇଥାଏ | ତେଣୁ ଏହାର ତୁରନ୍ତ ଚିକିତ୍ସା ନିହାତି ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.