ଦେଶରେ କରୋନା ଲକଡାଉନ୍ ବେଳେ ବିହାରରେ ବଢୁଛି ବ୍ରେନ୍ ଷ୍ଟ୍ରୋକ୍ ମାମଲା, ହସ୍ପିଟାଲରେ ମିଳୁନି ICU

Published By : Prameya-News7 Bureau | April 09, 2020 IST

ପାଟନା ୯।୪: କରୋନା ସଂକ୍ରମଣ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବିହାରରେ ବ୍ରେନଷ୍ଚ୍ରୋକ୍ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଛି। ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ଏପରି ସମସ୍ୟା ଅଧିକ ଦେଖା ଦେଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୦ରୁ ଅଧିକ ଲୋକେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ରାଜଧାନୀ ପାଟନାର ଇନ୍ଦିରାଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (ଆଇଜିଆଇଏମଏସ୍) ସମେତ ପିଏମସିଏଚ୍ ଓ ଅନ୍ୟ ଘରୋଇ ହସ୍ପିଟାଲରେ ଏଭଳି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଇଜିଆଇଏମଏସ୍‌ର ଚିକିତ୍ସା ଅଧିକ୍ଷକ ଡା.ମନିଷ ମଣ୍ଡଳଙ୍କ ଅନୁସାରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଲଗାତାର ଭୟ ହିଁ ଏବେ ବୟସ୍କ ଲୋକଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି। ତେବେ ବ୍ରେନଷ୍ଟ୍ରୋକର ଶିକାର ଲୋକଙ୍କୁ ଆଡମିଟ୍ କରିବାକୁ ଘରୋଇ ହସ୍ପିଟାଲମାନେ ରାଜି ହେଉନଥିବାରୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜ ଉପରେ ଚାପ ବଢୁଛି। ଏଣୁ ହସ୍ପିଟାଲରେ ଆଇସିୟୁ ଅଭାବ ପଡିଛି ବୋଲି ଡା. ମଣ୍ଡଳ କହିଛନ୍ତି।

ସେହିପରି ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ ହେଲା ରକ୍ତଚାପର କେତେକ ଔଷଧ ଏବେ ବଜାରରେ ଉପଲବ୍ଧ ହେଉ ନାହିଁ। ଲକଡାଉନରେ ଅଧିକାଂଶ ମେଡିସିନ ଷ୍ଟୋର ବନ୍ଦ ରହିବା ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ଏଣୁ ୪୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ ଏବେ ଚାପ ମୁକ୍ତ ରହିବା ଦରକାର ବୋଲି କାର୍ଡିୟୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ପ୍ର.ଡ.ନିରବ କୁମାର କହିଛନ୍ତି। ଲକଡାଉନ ସମୟର ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଅପେକ୍ଷା ନିୟମିତ ଦିନଚର୍ଯ୍ୟାରେ ରହିଲେ ଏଭଳି ଆଶଙ୍କା ଟଳିପାରିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.