ବ୍ରହ୍ମବିଭ୍ରାଟ : ପ୍ରେମାନନ୍ଦ କହିଲେ ରାଗ ସୁଝାଉଛନ୍ତି

Published By : Prameya-News7 Bureau | November 19, 2018 IST

ବ୍ରହ୍ମବିଭ୍ରାଟର ମୁଖ୍ୟ ଖଳନାୟକ ଦଇତା ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ବୋଲି ଖବର ପ୍ରଚାରିତ ହୋଇଛି। ପ୍ରେମାନନ୍ଦ ଦାସ ମହାପାତ୍ର ଅନ୍ୟ ୬ଜଣ ଦଇତାଙ୍କୁ ନେଇ ବ୍ରହ୍ମଦର୍ଶନ କରିବାକୁ ଜିଦ୍ ଧରିବାରୁ ସମସ୍ତ ବିଭ୍ରାଟ ଘଟିଲାବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଲେଖିଥିବା ଏକ ଚିଠିରୁ ଜଣାପଡ଼ିବା ପରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଏ ସଂକ୍ରାନ୍ତରେ ପ୍ରେମାନନ୍ଦ ଦାସ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ,ସୁଭଦ୍ରା ଦାରୁ ଠାବ ହେବା ସମ୍ପର୍କରେ ଗଣମାଧ୍ୟମରେ ସେତେବେଳେ ଖବର ଦେଇଥିବାରୁ ରାଗ ରଖି ତାଙ୍କ ବିରୋଧରେ ଏଭଳି ଅଭିଯୋଗ କରାଯାଉଛି। ତେବେ ବ୍ରହ୍ମବିଭ୍ରାଟ ,ଦାରୁ ଚୟନରେ ଫିକ୍ସିଂ ଆଦି ବିଭିନ୍ନ ପ୍ରସଙ୍ଗରେ ସେ ସପ୍ରମାଣ ତଥ୍ୟ ସନ୍ଧ୍ୟାରେ ସାମ୍ବାଦିକମାନଙ୍କ ଆଗରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖ ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଦଇତା ନିଯୋଗର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଏହି ମର୍ମରେ ଚିଠି ଲେଖିଛନ୍ତି। ନିଯୋଗର ସମ୍ପାଦକ ଥିବା ସତ୍ତ୍ବେ ସେ କାହିଁକି ଏଭଳି ବିଶୃଙ୍ଖଳା କଲେ ବୋଲି ପତ୍ରରେ ତାଙ୍କୁ ପ୍ରଶ୍ନ କରାଯାଇଛି। ୧୪ତାରିଖରୁ ୧୫ଦିନ ମଧ୍ୟରେ ଚିଠିର ଉତ୍ତର ରଖିବାପାଇଁ ପ୍ରେମାନନ୍ଦଙ୍କୁ କୁହାଯାଇଛି। ମୁଖ୍ୟ ପ୍ରଶାସକଙ୍କ ଚିଠି ଅନୁସାରେ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସମେତ ବ୍ରହ୍ମଦର୍ଶନ କରିଥିବା ଅନ୍ୟ ୫ଜଣ ହେଲେ-ବରିଷ୍ଠ ଦଇତାପତି ବିଶ୍ବନାଥ ଦାସ ମହାପାତ୍ର,କୃଷ୍ଣଚନ୍ଦ୍ର ଦାସ ମହାପାତ୍ର,ନବକିଶୋର ଦାସ ମହାପାତ୍ର,କାଶୀନାଥ ଦାସ ମହାପାତ୍ର ଏବଂ ଜୟକୃଷ୍ଣ ଦାସ ମହାପାତ୍ର। ସୂଚନାଯୋଗ୍ୟ ଯେ,ବ୍ରହ୍ମ ପରିବର୍ତ୍ତନ ଏକ ଗୁପ୍ତ ନୀତି। କେବଳ ବାଡ଼ଗ୍ରାହୀମାନେ ବ୍ରହ୍ମପରିବର୍ତ୍ତନ ପାଇଁ ଅଧୀକୃତ। କିନ୍ତୁ ପ୍ରେମାନନ୍ଦ ଦାସ ମହାପାତ୍ର ଅନ୍ୟ ୫ଜଣ ଦଇତାପତିଙ୍କୁ ଘଟ ପରିବର୍ତ୍ତନ ସ୍ଥଳକୁ ପ୍ରବେଶ ଲାଗି ସହଯୋଗ କରିବା ସହ ନିଜେ ମଧ୍ୟ ବ୍ରହ୍ମଦର୍ଶନ ଲାଗି ଜିଦ୍ କରିଥିଲେ। ଫଳରେ ବ୍ରହ୍ମପରିବର୍ତ୍ତନରେ ବିଳମ୍ବ ଘଟିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ଚିଠିର ସନ୍ତୋଷଜନକ ଉତ୍ତର ୧୫ଦିନ ମଧ୍ୟରେ ପ୍ରଦାନ କରାନଗଲେ ମନ୍ଦିର ଆଇନ୍ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.