ପ୍ରେମରେ ପ୍ରତାରଣା : ଲିଭଇନରେ ରହୁଥିବା ପ୍ରେମିକାକୁ ହତ୍ୟାପରେ ପ୍ରେମିକ କଲା ଆତ୍ମହତ୍ୟା
28/11/2018 at 3:34 PM

ନୂଆଦିଲ୍ଲୀ ୨୮/୧୧: ଦିଲ୍ଲୀର ମହରୈାଲିର ଛତରପୁର ଅଞ୍ଚଳରେ ଯୁବକ ଯୁବତୀଙ୍କ ଶବ ମିଳିବା ଫଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ପୋଲିସକୁ ଘଟଣା ପଛର କାରଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ମିଳିଛି । ସୂଚନା ଅନୁସାରେ ଯୁବକ ଅଭିଷେକ ମଣ୍ଡଳ(୨୭) ଆୟେସ୍ନାଙ୍କୁ(୨୩) ପ୍ରେମରେ ପ୍ରତାରଣା ଯୋଗୁଁ ହତ୍ୟା କରିଛି। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ପୋଲିସ୍ ଗତ ସୋମବାର ଦିନ ଦୁଇଜଣଙ୍କ ଶବ ବ୍ୟବଛ୍ଛେଦ କରିଛି। ସୂଚନା ମିଳିଛି ଯେ ଦୁଇଜଣ କିଛି ଦିନ ହେଲା ଲିଭ-ଇନରେ ରହୁଥିଲେ।
ଅଭିଷେକ ଗତ ଜୁନ୍ ମାସରୁ ଆୟେସ୍ନାଙ୍କୁ ଛାଡ଼ି ଚାଲିଯାଇଥିଲେ। ସେ ସୋମବାର ଦିନ ଯୁବତୀଙ୍କ ପାଖକୁ ଆସି ଏହି ଅଘଟଣ ଘଟାଇଥିଲା। ଘଟଣାସ୍ଥଳରୁ ପୋଲିସକୁ ଇଂରାଜୀରେ ଲେଖା ହୋଇଥିବା ସୁଇସାଇଡାଲ ନୋଟ୍ ମଧ୍ୟ ମିଳିଛି। ଅଭିଷେକ ଓ ଆୟେସ୍ନା ପଶ୍ଚିମବଙ୍ଗ ନିବାସୀ। କୋଲକାତାରେ ଏକାଠି ପଢ଼ିବାବେଳେ ବନ୍ଧୁତା ସୃଷ୍ଟି ହୋଇଥିଲା। ସେମାନେ ଏବର୍ଷ ଆରମ୍ଭରେ ଦିଲ୍ଲୀ ଆସିଥିଲେ ଏବଂ ବି-୧୩-ଏ ସୁମନ କଲୋନୀ ଛତରପୁରରେ ଏକ ଭଡ଼ା ଘର ନେଇ ରହୁଥିଲେ।
ଆୟେସ୍ନା ଗ୍ରାଫିକ୍ସ ଡିଜାଇନର ଥିଲେ। ସେ ନେହେରୁ ପ୍ଲେସରେ କାମ କରୁଥିଲେ। ଅଭିଷେକ ଡିଜିଟାଲ ମାର୍କେଟିଂରେ କାମ କରୁଥିଲେ। ଲିଭଇନରେ ରହୁଥିଲେ ମଧ୍ୟ ଅଧିକାଂଶ ସମୟ ସେମାନେ ଝଗଡ଼ା କରୁଥିଲେ। ଏହି କାରଣରୁ ଅଭିଷେକ ଜୁନ୍ ମାସରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ସେ କେଉଁଠିକୁ ଯାଇଥିଲେ କେହି ଜାଣିନଥିଲେ। ତେବେ ସୋମବାର ସକାଳେ ସେ ଆୟେସ୍ନାଙ୍କ ପାଖକୁ ଆସିଥିଲେ। କିଛି ସମୟ ଆୟେସ୍ନାଙ୍କ ସହ କଥାବାର୍ତ୍ତା କରିବା ପରେ ଖିଆପିଆ କରିଥିଲେ। ଏହା ପରେ ପୁଣିଥରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଅଭିଷେକ ଫଳକଟା ଛୁରୀରେ ଆୟେସ୍ନାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ଅଭିଷେକ ଓଢ଼ଣୀ ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ।
ଆୟେସ୍ନା ଅଫିସ୍ ନଯିବାରୁ ତାଙ୍କ ସହକ୍ରମୀମାନେ ଆୟେସ୍ନା ରହୁଥିବା ଘରର ମାଲିକଙ୍କୁ ଫୋନ୍ କରି କିଛି ଅସୁବିଧା ହୋଇଛି କି ବୋଲି ପଚାରିଥିଲେ । ଘର ମାଲିକ ମଧ୍ୟ ଘର ଭିତରପଟୁ ବନ୍ଦ ଥିବା କଥା କହିଥିଲେ। ଏହା ପରେ ତାଙ୍କ ସହକର୍ମୀମାନେ ସେଠାରେ ପହଂଚି ବହୁତ ସମୟ କବାଟ ବାଡ଼େଇବା ପରେ କେହି ନଖୋଲିବାରୁ ସେ ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗିଥିଲେ। ଆୟେସ୍ନା ରୁମରେ ଥିବା ଆଲମାରି ପାଖରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ।
ଅଭିଷେକ ସୁଇସାଇଡ ନୋଟରେ ଲେଖିଥିଲେ ଯେ ସେ ଆୟେସ୍ନାଙ୍କୁ ବହୁତ ଭଲ ପାଉଥିଲେ। ସେ ବର୍ତ୍ତମାନ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଆୟେସ୍ନା କିନ୍ତୁ ତାଙ୍କୁ ଭଲ ପାଉନଥିଲେ। ସେ ଅନ୍ୟ ପୁଅ ବନ୍ଧୁଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ସେ ନିଜ ପରିବାରବର୍ଗଙ୍କ ବିଷୟରେ କିଛି ସେ ଉଲ୍ଲେଖ କରିନଥିଲେ।
ଅଭିଷେକଙ୍କ ପରିବାରବର୍ଗ ଆସିନଥିବାରୁ ତାଙ୍କ ପୋଷ୍ଟମୋର୍ଟମ୍ ହୋଇପାରିନଥିଲା। କିନ୍ତୁ ଆୟେସ୍ନାଙ୍କ ପରିବାର ଲୋକେ ଆସିଥିବାରୁ ତାଙ୍କ ପୋଷ୍ଟମୋର୍ଟମ୍ କରାଯାଇ ଶବକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।