ପ୍ରେମ କରି ବିଫଳ ହେବାପରେ ପ୍ରେମିକାର ଭାଇଙ୍କୁ ହତ୍ୟା
1/07/2019 at 4:51 PM

ବଲାଙ୍ଗିର ୧/୭: ବଲାଙ୍ଗିର ପୁଇଁନ୍ତଳା ଥାନା ବେଲବାହାଲି ଗାଁରେ ମର୍ଡର । ମୃତକ ହେଲେ ଗୋବର୍ଧନ ଗିରି । ଗୋବର୍ଦ୍ଧନ ବେଲବାହାଲି ଗାଁରେ ଥିବା ତାଙ୍କ ପିଇସୀ ଘରକୁ ବୁଲିବାକୁ ଯାଇଥିଲେ ।ପିଇସୀଙ୍କ ଦୁଇ ପୁଅ ନାନୁ ଏବଂ ଅଗନୁ ଗୋବର୍ଦ୍ଧନଙ୍କ ଦୁଇ ଭଉଣୀଙ୍କୁ ଭଲ ପାଇବା ସହ ବାହା ହେବା ପାଇଁ କହିଥିଲେ । ତେବେ ଗୋବର୍ଦ୍ଧନ ତାଙ୍କ ଭଉଣୀଙ୍କୁ ଅନ୍ୟତ୍ର ବିବାହ କରାଇଦେଇଥିଲେ । ଏଥିପାଇଁ ନାନୁ -ଅଗନୁଙ୍କ ପ୍ରତିଶୋଧ ନିଆଁରେ ଜଳୁଥିଲେ ।ତେଣୁ ଜୁନ୍ ୨୯ରେ ଦୁଇ ଅଭିଯୁକ୍ତ ଗୋବର୍ଦ୍ଧନଙ୍କୁ ବୁବେଲ ଗାଁକୁ ଡାକି ନେଇଥିଲେ ।

ଭାଟିରୁ ମଦ କିଣି ଏକ ବରଗଛ ତଳେ ବସି ପିଇଥିଲେ ସମସ୍ତେ । ଭଉଣୀଙ୍କୁ ଅନ୍ୟତ୍ର ବିବାହ କରାଇଥିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଗୋବର୍ଦ୍ଧନ ଦୁଇ ପିଇସୀ ପୁଅ ନାନୁ ଏବଂ ଅଗନୁଙ୍କୁ ଚାପୁଡ଼ା ମାରିଥିଲେ । ଏଥିରେ ଉଭୟ ନାନୁ ଏବଂ ଅଗନୁ ରାଗିଯାଇ ଗୋବର୍ଦ୍ଧନଙ୍କୁ ପଥରରେ ଛଚିଲେ ଏବଂ ତାଙ୍କ ଉପରେ ବାଇକ୍ ଚଢ଼ାଇ ଦେଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା ।

ନାନୁ ଏବଂ ଅଗନୁଙ୍କୁ ଗିରଫ କରି ପୋଲିସ ପଚରା ଉଚରା କରୁଛି । ସେପଟେ ଗୋବର୍ଦ୍ଧନଙ୍କ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ପୋଲିସ ।