ଜୀବନ ହାରିଲେ ଆଉ ଜଣେ ମେଡିକାଲ୍‌ ଆଶାୟୀ, NEET ରେଜଲ୍ଟ ଆସିବା ପୂର୍ବରୁ ବିଷ ପିଇ କଲେ ଆତ୍ମହତ୍ୟା

Published By : Prameya-News7 Bureau | October 30, 2021 IST

କୋଏମ୍ବାଟୁର ୩୦/୧୦: ତାମିଲନାଡୁର କୋଏମ୍ବାଟୁରରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାସ୍‌ ଟେଷ୍ଟ (ନୀଟ୍‌)ର ଫଳାଫଳ କଣ ହେବ ଏନେଇ ଚିନ୍ତାରେ ପୁଣି ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି । ରାଜ୍ୟରେ ପୁଣି ଜଣେ ମେଡିକାଲ ଆଶାୟୀ ଆତ୍ମହତ୍ୟା ଖବର ଚାଞ୍ଚଲ୍ୟ ଖେଳାଇଛି। କୋଏମ୍ବାଟୁରର ସଙ୍ଗରାୟପୁରମ ବାସିନ୍ଦା କେ. କିର୍ତ୍ତୀବାସନ ନାମକ ଜଣେ ଯୁବକ ସେପ୍ଟେମ୍ବରରେ ହୋଇଥିବା ନୀଟ୍‌ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏହାର ପରିଣାମ କିଛି ଦିନ ମଧ୍ୟରେ ଆସିବାର ଅଛି ।

ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା ଏବଂ ଏହାକୁ ନେଇ ସେ ଚିନ୍ତିତ ଥିଲେ। ପୋଲିସର କହିବା ଅନୁଯାୟୀ, ଏହା ପୂର୍ବରୁ କିର୍ତ୍ତୀନିବାସ ୨୦୧୯ ଏବଂ ୨୦୨୦ରେ ମଧ୍ୟ ନୀଟ୍‌ ପରୀକ୍ଷା ଦେଇଥିଲେ। କିନ୍ତୁ ସେ କୃତକାର୍ଯ୍ୟ ହୋଇପାରିନଥିଲେ ।  ଦେଶର ବିଭିନ୍ନ ମେଡିକାଲ କଲେଜ୍‌ରେ ପ୍ରବେଶ ପାଇଁ ହେଉଥିବା ନୀଟ୍‌ ପରୀକ୍ଷାରେ ସେ ତୃତୀୟ ଥର ପାଇଁ ବସିଥିଲେ।

ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି  ଦ୍ବାରା ଆନ୍ସର କି’ ପ୍ରକାଶ ପାଇବା ପରଠୁ ​‌ସେ ଚିନ୍ତାରେ ଥିଲେ। ସେ ନିଜର ଅଭିଭାବକଙ୍କୁ ଏଥର ମଧ୍ୟ ପାସ କରିପାରିବେ ନାହିଁ ବୋଲି କହିଥିଲେ । ପରୀକ୍ଷା ପରିଣାମ ପାଇଁ ଅପେକ୍ଷା କରିବାକୁ ତାଙ୍କର ବାପ-ମା ତାଙ୍କୁ ପରାମର୍ଶ ଦେଇଥିଲେ। ଏହା ସତ୍ବେ କିର୍ତ୍ତୀନିବାସ ଶୁକ୍ରବାର ଦ୍ବିପ୍ରହରରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଏହା ପରେ ତାଙ୍କୁ ପୋଲାଚି ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଅନ୍ୟ ଏକ ହସ୍ପିଟାଲ ନିଆଯିବା ପରେ କିର୍ତ୍ତୀନିବାସଙ୍କ ମୃତ୍ୟୁ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.