ବକ୍ସିଂ ଡେ' ଟେଷ୍ଟ୍ : ଦ୍ୱିତୀୟ ଦିନରେ ରାହାଣେଙ୍କ ଦମଦାର ଶତକ, ଭାରତ ୮୨ ରନରେ ଆଗୁଆ

Published By : Prameya-News7 Bureau | December 27, 2020 IST

ମେଲବର୍ଣ୍ଣ, ୨୭/୧୨:  ମେଲବର୍ଣ୍ଣର ଏମସିଜି ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୮୨ ରନରେ ଆଗୁଆ ରହିଛି । ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ ଆଜିଙ୍କ୍ୟ ରାହାଣେଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୫ ଓ୍ୱିକେଟ୍ ବିନିମୟରେ ୨୭୭ ରନ୍ କରିଛି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା ।  ଭାରତ ପ୍ରଥମ ଇନିଂସ ଆରମ୍ଭରେ ବିନା କୌଣସି ରନରେ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ମୟଙ୍କ ଅଗ୍ରଓ୍ୱାଲ ୦ ରନ୍ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହାପରେ କ୍ରିଜରେ ଶୁଭମନ ଗିଲ୍ ଓ ଚେତଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ ।   ପ୍ରଥମ ଦିନରେ ଦଳର ସ୍କୋର ଗୋଟିଏ ଓ୍ୱିକେଟ୍ ବିନିମୟରେ ୩୬ ରହିଥିଲା ।

ତେବେ ଦ୍ୱିତୀୟ ଦିନରେ କ୍ରିଜରେ ଥିବା ଶୁଭମନ ୪୫ ଓ ଚେତେଶ୍ୱର ପୂଜାରା ୧୭ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ହନୁମା ବିହାରୀ ୨୧ ରନରେ ପ୍ୟାଭିଲିୟନ ଫେରିଥିଲେ । ଏତ୍ତ ବ୍ୟତୀତ ଋଷଭ ପନ୍ତ ୨୯ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ରବିନ୍ଦ୍ର ଜାଡେଜା ଓ ରାହାଣେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଏବେ କ୍ରିଜରେ ଆଜିଙ୍କ୍ୟ ରାହାଣେ ୧୦୪ ଓ ରବିନ୍ଦ୍ର ଜାଡେଜା ୪୦ ରନ୍ କରି ଅପରାଜିତ ଅଛନ୍ତି । ଏହାସହ ଭାରତ ୮୨ ରନରେ ଆଗୁଆ ରହିଛି ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ନାଥାନ ଲାୟନ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.