ବକ୍ସିଂ ଡେ' ଟେଷ୍ଟ : ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୩୩/୬

Published By : Prameya-News7 Bureau | December 28, 2020 IST

ମେଲବର୍ଣ୍ଣ,୨୮/୧୨: ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ଓ୍ୱିକେଟ୍ ହରାଇ ୧୩୩ ରନ୍ କରିଛି । ଏହାସହ ଇନିଂସ ପରାଜୟରୁ ମୁକୁଳି ଯାଇଛି । କାରଣ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଭାରତୀୟ ବୋଲର କଙ୍କାରୁ ବ୍ୟାଟସମ୍ୟାନଙ୍କ ଉପରେ ଭାରି ପଡିଥିଲେ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ପ୍ରଥମ ଇନିଂସରେ ୩୨୬ରନ୍‌ କରିଥିଲା । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିବା ସତ୍ତ୍ୱେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଲଢୁଆ ଶତକୀୟ ଇନିଂସ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆଠୁ ୧୩୧ ରନ୍ ଆଗରେ ରହିଥିଲା ।

ଦ୍ୱିତୀୟ ଇନିଂସ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ସ୍କୋର ୪ ରନ୍ ଥିବା ବେଳେ ଜୋଏ ବର୍ଣ୍ଣସ୍ ଆଉଟ ହୋଇଥିଲେ । ସେହିପରି ଏମ ଲାବୁସେନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ୱାଡେ ୪୦, ଷ୍ଟିଭ୍ ସ୍ମିଥ୍ ୮, ଟ୍ରାଭିସ୍ ହେଡ୍ ୧୭ ଓ ଟିମ୍ ପେନ୍ ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏବେ କ୍ରିଜରେ କ୍ୟାମରନ୍ ଗ୍ରୀନ ୧୭ ଓ ପ୍ୟାଟ୍ କ୍ୟୁମିନ୍ସ ୧୫ ରନରେ ବ୍ୟାଟିଂ କରୁଛନ୍ତି ।

ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ, ଉମେଶ ଯାଦବ, ମହମ୍ମଦ ସିରାଜ ଓ ଆର ଅଶ୍ୱିନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.