ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ : ସର୍ଭେରେ ମତ ଦେଲେ ବ୍ରିଟେନ୍ ଭୋଟର

Published By : Prameya-News7 Bureau | January 10, 2021 IST

ଇଂଲଣ୍ଡ,୧୦/୦୧: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସ ମାମଲାରେ ଚର୍ଚ୍ଚାରେ ରହିଥିଲେ । ଏବେ ନିକଟରେ ହୋଇଥିବା ଏକ ସର୍ଭେରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୪୩ ପ୍ରତିଶତ ବ୍ରିଟେନ ନାଗରିକ ବୋରିସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦିଅନ୍ତୁ ବୋଲି ଚାହୁଁଛନ୍ତି । ଏକ ଓପିନିଅନ ପୋଲରେ ଏହି ରିପୋର୍ଟ ବାବଦରେ ଜଣା ପଡିଛି ।

ସର୍ଭେର ରିପୋର୍ଟ ଅନୁସାରେ, ୪୩ ପ୍ରତିଶତ ଚିନ୍ତା କରୁଛନ୍ତି ଯେ, ବୋରିସ ଇସ୍ତଫା ପ୍ରଦାନ କରିବା ଦରକାର । ସେହିପରି ୪୦ ପ୍ରତିଶତ କହିଛନ୍ତି ଯେ, ବୋରିସ ନିଜ ଦାୟିତ୍ୱ ତୁଲାଇବା ଦରକାର । କନଜରଭେଟିବ୍ ବା ରକ୍ଷଣଶୀଳ ଭୋଟରଙ୍କ ମଧ୍ୟରୁ ୮୭ ପ୍ରତିଶତ ବୋରିସ ଶାସନରେ ରୁହନ୍ତୁ ବୋଲି ଚାହୁଁଥିବା ବେଳେ ମାତ୍ର ୭ ପ୍ରତିଶତ ଇସ୍ତଫା ଦେବା ଆବଶ୍ୟକ ବୋଲି କହିଛନ୍ତି ।  ସେହିପରି ମାତ୍ର ୨୦ ପ୍ରତିଶତ କେର୍ ଷ୍ଟାମେର୍ ଶ୍ରମିକ ନେତା ପଦରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି । ତେବେ ୫୨ ପ୍ରତିଶତ ସେ ନିଜ ଦାୟିତ୍ୱରେ ରୁହନ୍ତୁ ବୋଲି କହିଛନ୍ତି ।

ଏତତ୍ ବ୍ୟତୀତ ୭୨ ପ୍ରତିଶତ ସରକାର କରୋନା ମୁକାବିଲାରେ ସେତେଟା ସଫଳ ହୋଇନଥିବା କହିଛନ୍ତି । ସେହିପରି ୪୨ ପ୍ରତିଶତ ସରକାର ଆଦୌ କରୋନା ମାମଲାରେ କ୍ରିୟାଶୀଳ ହୋଇନଥିବା ମତ ଦେଇଛନ୍ତି । ଏହାସହ ୬୪ ପ୍ରତିଶତ ଲକଡାଉନକୁ ପ୍ରଭାବୀ ବୋଲି କହିଛନ୍ତି । ମାତ୍ର ୨୫ ପ୍ରତିଶତ ଏହା ବିରୋଧରେ ମତ ଦେଇଛନ୍ତି ।

ମୋଟାମୋଟି ଭାବେ ଲେବର୍ ପାର୍ଟି ସପକ୍ଷରେ ୪୦ ପ୍ରତିଶତ  ମତ ଦେଇଥିବା ବେଳେ କନଜରଭେଟିବ୍ ପାର୍ଟି ପକ୍ଷରେ ୩୯ ପ୍ରତିଶତ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.