କୋଟିଆରେ ସୀମା ବିବାଦ ସ୍ଥିତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି: ଓଡିଶା ଲୋକଙ୍କ ସହ ଆଲୋଚନା କରିନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ

Published By : Prameya-News7 Bureau | November 21, 2020 IST

ଜୟପୁର ୨୧/୧୧ : କୋରାପୁଟ କୋଟିଆ ସମ୍ବାଇରେ ପହଞ୍ଚି ସୀମା ବିବାଦ ସ୍ଥିତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି। ସୁନାବେଡା ଗାଁର ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ପରଖିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ଆରଡିସି। ତେବେ ସୀମାରେ ଥିବା ଓଡିଶା ଲୋକଙ୍କ ସହ ଆଲୋଚନା କରିନଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆନ୍ଧ୍ର ଓଡ଼ିଶା ସୀମା ଭିତରକୁ ପଶି ସାମ୍ବାଇ ଅଞ୍ଚଳର ଅନେକ ସ୍ଥାନକୁ ଅକ୍ତିଆର କରିନେଇଥିବା ନେଇ ନ୍ୟୁଜ୍‌ ସେଭେନ୍‌ରେ ବାରମ୍ବାର ଖବର ପ୍ରସାରଣ ପରେ ସେଠାକୁ ଆଜି ଯାଇଥିଲେ ଦକ୍ଷିଣାଞ୍ଚଳ ଆରଡିସି।   

କେବଳ ସ୍ଥିତି ଅନୁଧ୍ୟାନ କଲେ , ହେଲେ ଲୋକଙ୍କ ସହ ଆଲୋଚନା କଲେନି। ଯାହାକୁ ନେଇ ଲୋକେ ଅସନ୍ତୁଷ୍ଟ।  ଓଡ଼ିଶା ଆନ୍ଧ୍ର ସୀମାର କୋଟିଆ ସୁନାବେଡା ସାମ୍ବାଇ ଗାଁର ବିବାଦୀୟ ସ୍ଥାନରେ ପହଞ୍ଚିଥିଲେ ଦକ୍ଷିଣାଞ୍ଚଳ ଆରଡିସି  ଟି. ଅପାଙ୍ଗ ଆଓ। ଆନ୍ଧ୍ର ସାମ୍ବାଇ ଗାଁର କେଉଁ ଅଞ୍ଚଳକୁ ଆନ୍ଧ୍ର ଅନୁପ୍ରବେଶ କରିଛି। କେଉଁ ରାସ୍ତାକୁ ଅକ୍ତିଆର କରି ଆନ୍ଧ୍ର ଲୋକେ ଅବରୋଧ କରିଥିଲେ ତାରା ସ୍ଥିତି ସମୀକ୍ଷା କରିଥିଲେ। ସାଥିରେ ଥିଲେ ପ୍ରଶାସନର ଏକ ଟିମ୍। ଯେଉଁଥିରେ ପଟ୍ଟାଙ୍ଗୀ ତହସିଲଦାର, ଆର.ଆଇ ଓ ରେଭେନ୍ୟୁ ସୁପରଭାଇଜର। ଘଟଣାସ୍ଥଳ ପରିଦର୍ଶନ ପୂର୍ବରୁ ଜିଲ୍ଳା ପଦାଧିକାରୀଙ୍କ ସହ ସର୍କିଟ ହାଉସ ଠାରେ ଆଲୋଚନା କରିଥିଲେ ଆରଡିସି। ହେଲେ ସ୍ଥିତି ଅନୁଧ୍ୟାନ ପରେ ସେଠାର ଓଡିଆ ଲୋକେ ଆଶା କରିଥିଲେ ଆରଡିସି ସେମାନଙ୍କ ସହ ଆଲୋଚନା କରିବେ। ହେଲେ ତାହା ହୋଇନଥିଲା। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ।

ସୀମାନ୍ତରେ ଆନ୍ଧ୍ରର ଅନୁପ୍ରବେଶ ସମ୍ପର୍କରେ ଲଗାତାର ୧୩ ଦିନ ଧରି ଖବର ପ୍ରସାରଣ କରି ଆସିଥିଲା ନ୍ୟୁଜ୍‌ ସେଭେନ୍‌। ଏହାପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ପରେ ଘଟଣା ସ୍ଥଳରେ ଉଭୟ ରାଜ୍ୟର ଅଧିକାରୀ ମାନେ ପହଞ୍ଚି ଆନ୍ଧ୍ର ଲୋକେ କରିଥିବା ରାସ୍ତା ଅବରୋଧ ହଟାଇବା ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ରାଜି ହୋଇଥିଲେ। ଏପରିକି ଓଡିଶା ପଟରୁ ୫ ଜଣିଆ ଟିମ ଯାଇ ଓଡିଶା ସୀମାରେ ଥିବା ଖୁଣ୍ଟ ମଧ୍ୟ ଚିହ୍ନଟ କରିଥିଲେ। ତେବେ ଆଜି ଆରଡିସିଙ୍କ ଗସ୍ତ ପୂର୍ବରୁ ପୁଣିଥରେ ସୀମାନ୍ତ ଆନ୍ଧ୍ରର ଲୋକ ଆରମ୍ଭ କରିଛନ୍ତି ଦାଦାଗିରି। ସୀମାବର୍ତ୍ତି ଅଞ୍ଚଳର ରାସ୍ତା କଡରେ ପଥର ରଖି ଅସ୍ଥାୟୀ ସୀମା ଚିହ୍ନଟ କରିବା ସହ ନାଲି ପତାକା ମାରି ପୁଣିଥରେ ଓଡିଶାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ସରକାରୀ ସ୍ତରରେ ଆଲୋଚନା ସତ୍ବେ ଆନ୍ଧ୍ର ପୁଣି ଏଠାରେ ତାର ଦାଦାଗିରି ଦେଖାଇ ଓଡ଼ିଶା ସୀମା ଅଞ୍ଚଳରେ ପତାକା ପୋତିବାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ରପଟୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା କରି ଓଡ଼ିଶା ପଟ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି। ସୀମାନ୍ତରେ ତୁରନ୍ତ ପୋଲିସ ଚେକପୋଷ୍ଟ କରିବାକୁ ଦାବି ଉଠାଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.