ଏଣିକି ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ହୋଇପାରିବ ଅସ୍ଥି ବିସର୍ଜନ, ଘରେ ରହି ଲାଇଭ ଦେଖିପାରିବେ ପରିଜନ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/ ୦୬ : ଦେଶରେ କରୋନା ସଂକ୍ରମଣ ଭୟାବହତା ଏବେ ମଧ୍ୟ ଜାରି ରହିଛି । ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏହାରି ମଧ୍ୟରେ କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ ନୂଆ ପଦକ୍ଷେପ ନେଇଛି ଡାକ ବିଭାଗ । ଓମ୍‌ ଦିବ୍ୟ ଦର୍ଶନ ସଂସ୍ଥା ସହଯୋଗରେ ଡାକ ବିଭାଗ ନେଇଥିବା ପଦକ୍ଷେପ ଅନୁଯାୟୀ ଏଣିକି ସମ୍ପର୍କୀୟମାନେ ମୃତକଙ୍କ ଅସ୍ଥିିକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ବାରାଣସୀ, ପ୍ରୟାଗରାଜ, ହରିଦ୍ବାର ଏବଂ ଗୟା ପଠାଇପାରିବେ । ଅସ୍ଥି ସେଠାରେ ପହଞ୍ଚିବା ପରେ ସଂସ୍ଥା ପକ୍ଷରୁ ନିୟୋଜିତ ପ୍ରତିନିଧିମାନେ ବିଧି ମୁତାବକ ଅସ୍ଥିି ବିସର୍ଜନ ଏବଂ ଶ୍ରାଦ୍ଧ କ୍ରିୟା ଆଦି କର୍ମକାଣ୍ଡ କରିବେ । ଏଥିପାଇଁ ସଂସ୍ଥା ପକ୍ଷରୁ ସମସ୍ତ ସୁବିଧା ଯୋଗାଇଦିଆଯିବ । କେବଳ ସେତିକି ନୁହେଁ ଓ୍ବେବ୍‌ କାଷ୍ଟ ମାଧ୍ୟମରେ ମୃତକଙ୍କ ପରିଜନମାନେ ଅସ୍ଥି ବିସର୍ଜନର ଲାଇଭ ଟେଲିକାଷ୍ଟ ମଧ୍ୟ ଦେଖିପାରିବେ ।

କରୋନା ସଂକ୍ରମଣ ସମୟରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଉନ୍ତି ଏବଂ ସେମାନଙ୍କର କ୍ରିୟାକର୍ମ କରିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇନାହିଁ । ରୀତିନୀତି ଅନୁଯାୟୀ ଶବ ସତ୍କାର କରିପାରିନାହାନ୍ତି । ସନାତନ ଧର୍ମରେ ପବିତ୍ର ନଦୀରେ ଅସ୍ଥି ବିସର୍ଜନ ହେବାର ଏକ ପରମ୍ପରା ଅଛି । ଏହାକୁ ଦୃଷ୍ଟିରେ ରଖି ନିଆଯାଇଥିବା ପଦକ୍ଷେପ ଅନୁଯାୟୀ ଦେଶର ଯେ କୌଣସି ସ୍ଥାନର ଡାକଘରୁ ବାରାଣସୀ, ପ୍ରୟାଗରାଜ, ହରିଦ୍ବାର ଏବଂ ଗୟାକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଇପାରିବ।
ଏହି ସୁବିଧା ପାଇବା ପାଇଁ, ଇଚ୍ଛୁକ ବ୍ୟକ୍ତିଙ୍କୁ ଓମ୍ ଦିବ୍ୟ ଦର୍ଶନ ସଂସ୍ଥାର ପୋର୍ଟାଲ omdivyadarshan.org ରେ ପଞ୍ଜିକରଣ କରିବାକୁ ହେବ । ଏହା ପରେ ଅସ୍ଥି ପ୍ୟାକେଟ୍ ଉକ୍ତ ବ୍ୟକ୍ତିଙ୍କ ତରଫରୁ ଡାକଘର ମାଧ୍ୟମରେ ସ୍ପିଡ୍ ପୋଷ୍ଟ ଦ୍ୱାରା ପଠାଯିବ । ଏହା ସହିତ ଅସ୍ଥି ପାତ୍ର ଉପରେ ବଡ ଅକ୍ଷରରେ 'ଓମ୍ ଦିବ୍ୟା ଦର୍ଶନ ଲେଖା ରହିବ । ଯାହା ଦ୍ବାରାକି ଏହାକୁ ପୃଥକ ଭାବେ ରଖାଯାଇପାରିବ । ପଠାଉଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ନାମ, ଠିକଣା, ମୋବାଇଲ୍ ନମ୍ବର ମଧ୍ୟ ପ୍ୟାକେଟରେ ଲେଖିବାକୁ ପଡିବ । ପ୍ରେରକଙ୍କଠାରୁ ସ୍ପିଡ୍ ପୋଷ୍ଟ ଫି ନିଆଯିବ । କେବଳ ସେତିକି ନୁହେଁ ଓ୍ବେବ୍‌ କାଷ୍ଟ ମାଧ୍ୟମରେ ମୃତକଙ୍କ ପରିଜନମାନେ ଅସ୍ଥି ବିସର୍ଜନର ଲାଇଭ ଟେଲିକାଷ୍ଟ ମଧ୍ୟ ଦେଖିପାରିବେ । ଶବ ସତ୍କାର ହେବା ପରେ ଏବଂ ସମସ୍ତ କ୍ରିୟା କର୍ମ ଶେଷ ହେବା ପରେ ଉକ୍ତ ସଂସ୍ଥା ପକ୍ଷରୁ ପରିଜନଙ୍କ ଘରକୁ ଏକ ବୋତଲ ଗଙ୍ଗାଜଳ ମଧ୍ୟ ପଠାଯିବାର ବ୍ୟବସ୍ଥା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.