ରାଜଧାନୀର ଡୁମୁଡୁମା ରଘୁନାଥନଗରରେ ବୋମାମାଡ ସହ ପୋଲିସ ଉପରେ ଆକ୍ରମଣ, ଜଣେ ଆଇଆଇସି ସହ ୪ଜଣ ପୋଲିସ କର୍ମଚାରୀ ଆହତ

Published By : Prameya-News7 Bureau | October 02, 2018 IST

ଭୁବନେଶ୍ୱର ୨୯/୯: ରାଜଧାନୀର ଡୁମୁଡୁମା ରଘୁନାଥନଗରରେ ବୋମାମାଡ ସହ ପୋଲିସ ଉପରେ ଆକ୍ରମଣ ।  ପିସିଆର ଭ୍ୟାନ ଭାଙ୍ଗିଲେ ଲୋକେ । ଲୋକଙ୍କ ଆକ୍ରମଣରେ ଖଣ୍ଡଗିରି ଆଇଆଇସି ହିମାଂଶୁ ଭୁଷଣ ସ୍ବାଇଁଙ୍କ ସହ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଇଆଇସିଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଂଧ୍ୟାରେ ହୋଟେଲ ଜଗାବଳିଆ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଥିଲେ ଲୋକେ । ପରେ ହୋଟେଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ହେଲେ ଲୋକେ ଓଲଟା ପୋଲିସ ଉପରେକୁ ଟେକା ପଥର ମାଡ କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତ ଶନିବାର ରାତିରେ ଖଣ୍ଡଗିରି ଡୁମୁଡୁମା ରଘୁନାଥନଗରରେ ଦୁଇ ଅପରାଧୀ ଭାଇଙ୍କ ସମେତ ୫ଜଣ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଥିଲେ । ସେମାନଙ୍କ ମଧ୍ୟରୁ ଲୋକେ ଜଣକୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଖଣ୍ଡିଗିରି ପୋଲିସ ସରକନ୍ତରାର ଅଗ୍ନି ଷଡଙ୍ଗୀକୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ରଘୁନାଥପୁରରେ ଉତ୍ତେଜନା ଲାଗି ରହିଥିଲା । ସେଠାରେ ପୋଲିସ ମୁତୟନ ହୋଇଥିଲେ । ଆତଙ୍କ ଖେଳାଉଥିବା ଅଗ୍ନିର ବଡଭାଇ ଆକାଶ ଓ ସହଯୋଗୀ ବୁଲୁ ଅନ୍ୟ ୨ଜଣ ଖସି ପଳାଇଥିଲେ । ଏମାନଙ୍କ ନାଁରେ ଖଣ୍ଡଗିରି ଥନାରେ ବହୁ ଅପରାଧିକ ମାମଲା ରହିଛି । ଏମାନଙ୍କୁ ଧରିବାକୁ ରଘୁନାଥନଗର ଲୋକେ ପୋଲିସକୁ ଘେରିବା ସହ ହୋ ହଲ୍ଲା କରିଥିଲେ । ଏଥିପାଇଁ ଗତକାଲି ଠାରୁ ସେଠାରେ ଉତ୍ତେଜନା ଲାଗି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.