Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାପୁଡ଼ା ଜବାବରେ ଫୁଟିଲା ବୋମା, ଗାଁରେ ଖେଳିଗଲା ଆତଙ୍କ

21/08/2020 at 9:17 AM

ପୁରୀ୨୧/୮: ଚାପୁଡ଼ା ଜବାବରେ ଫୁଟିଲା ବୋମା । ଗୁରୁବାର ଗାଁ ଦାଣ୍ଡରେ ବୋମାମାଡ଼ କରି ଆତଙ୍କ ଖେଳାଇଲା ଯୁବକ । ଲଗାତାର ୨ଟି ବୋମାମାଡ଼ରେ ଦୁଇ ଭାଇ ଆହତ ହୋଇଛନ୍ତି । ଉଭୟଙ୍କୁ ସଦର ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାଟି ସଦର ଥାନା ଅଧୀନ ଗୋରୁଆଳ ନୂଆପାଟଣା ଗ୍ରାମରେ ଘଟିଛି । ଆହତ ଦୁଇ ଭାଇ ସେହି ଗ୍ରାମର ବାବୁନା ବିଶ୍ୱାଳ (୩୪) ଓ ଟୁବୁନା ବିଶ୍ୱାଳ (୨୪) । ତାଙ୍କ ପଡୋଶୀ ବିଶ୍ୱରଞ୍ଜନ ବରାଳ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗରୁ ପ୍ରକାଶ ଯେ, ଗାଁରେ ୯ ଜଣ ଯୁବକ ମିଶି ଏକ ଭୋଜି କରିଥିଲେ । ହେଲେ ଉକ୍ତ ଭୋଜିରେ ବିଶ୍ୱରଞ୍ଜନକୁ ସାମିଲ୍‌ କରାଯାଇନଥିଲା । ଫଳରେ ବିଶ୍ୱରଞ୍ଜନ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା । ଅପରାହ୍ନ ୪ଟାରେ ରୋଷେଇ ସରିବା ପରେ ଯୁବକମାନେ ଖାଇବାକୁ ବସିଥିଲେ । ସେହି ସମୟରେ ବିଶ୍ୱରଞ୍ଜନ ବାଇକ୍‌ ଯୋଗେ ପହଞ୍ଚି ଗାଳିଗୁଲଜ କରିଥିଲା। ସମସ୍ତଙ୍କ ମଝିରେ ବାଇକ୍‌ ଚଳାଇ ଏପଟ ସେପଟ ହୋଇଥିଲା । ଏଥିରେ ଯୁବକମାନେ ତାକୁ ବାରଣ କରିବାରୁ ତାକୁ କାହିଁକି ଭୋଜିକୁ ଡକାଗଲା ନାହିଁ ବୋଲି ଆକ୍ଷେପ କରି ଗାଳିଗୁଲଜ କରିଥିଲା । ତେଣୁ ଗ୍ରାମର କିଛି ମୁରବି ଶ୍ରେଣୀୟ ଲୋକେ ସେଠାକୁ ଆସି ବୁଝାଶୁଝା କରିଥିଲେ ମଧ୍ୟ ସେ ବୁଝି ନଥିଲା । ଉତ୍ପାତ ଅସହ୍ୟ ହେବାରୁ ବାବୁନା ତାକୁ ଏକ ଚାପୁଡ଼ା ମାରି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ପରିସ୍ଥିତି ପରେ ଜଟିଳ ହୋଇଥିଲା ।

ଚାପୁଡ଼ାର ଜବାବ ଦେବା ପାଇଁ ସେଠାରୁ ପଳାଇ ଆସିଥିଲା ବିଶ୍ୱରଞ୍ଜନ । କିଛି ସମୟ ପରେ ଘରୁ ୨ଟି ବୋମା ନେଇ ସେଠାରେ ପହଞ୍ଚିଥିଲା । ଜୀବନ ନେଇଯିବି ବୋଲି କହି ବାବୁନାଙ୍କ ଉପରକୁ ଗୋଟିଏ ବୋମାମାଡ଼ କରିଥିଲା । ସେ ଡେଇଁ ପଡ଼ିବାରୁ ବୋମାଟି ତାଙ୍କ ଚପଲରେ ବାଜି ଫୁଟି ନଥିଲା । ଉକ୍ତ ବୋମାଟି ଛିଟିକି ଯାଇ ନିକଟସ୍ଥ ପୋଖରୀରେ ପଡ଼ିଥିଲା । ଏହାପରେ ବାବୁନା ଓ ସାନଭାଇ ଟୁବୁନା ସହ ଅନ୍ୟମାନେ ତାକୁ ବୁଝାଇବା ବେଳେ ସେ ହାତରେ ଧରିଥିବା ଆଉ ଏକ ବୋମାମାଡ଼ କରିଥିଲା । ଏହି ବୋମାଟି ଫୁଟିଯିବାରୁ ବାବୁନାଙ୍କ ପେଟ ଓ ଟୁବୁନାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଦୁଇ ଭାଇଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୋମାମାଡ଼ କରି ବିଶ୍ୱରଞ୍ଜନ ପୋଖରୀକୁ ଡେଇଁ ପଡିଥିଲା । ପରେ ପୋଖରୀର ଅନ୍ୟ ପାଶ୍ୱର୍ରେ ବାହାରି ଗାଁ ଭିତରକୁ ପଳାଇଥିଲା । ରଖିଥିବା ଆଉ ଏକ ବୋମା ହାତରେ ଧରି ତାକୁ ଯିଏ ଯାହା କହିବ ମୁଣ୍ଡ ଗଡ଼ିବ ବୋଲି କହି ଗାଁ ଦାଣ୍ଡରେ ଆତଙ୍କ ଖେଳାଇଥିଲା । ପୁଲିସ ଡାକ୍ତରଖାନାରେ ପହଞ୍ଚି ଅନୁସନ୍ଧାନ କରିବା ପରେ ଅଭିଯୁକ୍ତର ଫଟୋ ସଂଗ୍ରହ କରିଥିଲା । ପରେ ଗାଁରେ ଚଢ଼ଉ କରିବା ବେଳକୁ ବିଶ୍ୱରଞ୍ଜନ ଫେରାର୍‌ ହୋଇ ଯାଇଥିଲା ।

   Related Posts