'ଜଣେ ବ୍ୟକ୍ତି ଏକାକି ଦୁଷ୍କର୍ମ କରିପାରିବ ନାହିଁ, ପୀଡିତାଙ୍କ ମୁହଁକୁ ଚାପି ଧରି ପୋଷାକ ଖୋଲିବା ଅସମ୍ଭବ'- ବମ୍ବେ ହାଇକୋର୍ଟ

Published By : Prameya-News7 Bureau | January 30, 2021 IST

ମୁମ୍ବାଇ,୩୦/୦୧  ଜଣେ ଅଭିଯୁକ୍ତ ଏକାକୀ ଦୁଷ୍କର୍ମ କରିପାରିବନି । ସେ ଗୋଟିଏ ହାତରେ ପୀଡ଼ିତାର ମୁହଁକୁ ଚାପି କରି ଧରିବା ଓ ଅନ୍ୟ ହାତରେ ପୀଡ଼ିତାର ଏବଂ ନିଜର ପୋଷାକ ଖୋଲିବା ସମ୍ଭବ ନୁହେଁ । ତା’ଛଡା ଏକାକୀ ଦୁଷ୍କର୍ମ କରିବାକୁ ଉଦ୍ୟମ କଲେ, ତା’କୁ ନିଶ୍ଚିତ ଭାବେ ପୀଡ଼ିତା ଠାରୁ ପ୍ରତିରୋଧର ସାମ୍ନା କରିବାକୁ ପଡିବ ବୋଲିଏକ ମାମଲାର ଶୁଣାଣି ବେଳେ କହିଛନ୍ତି ବମ୍ବେ ହାଇକୋର୍ଟ ।

ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗଣେଡିୱାଲା ଏବେ ଏହି ରାୟ ଦେଇଛନ୍ତି । ଯାହାକୁ ନେଇ ପୁଣି ବିବାଦ ଉପୁଜିପାରେ ବୋଲି କୁହାଯାଉଛି । ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାରେ ପୀଡ଼ିତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନାହିଁ । ତେଣୁ ସେ ଦୁଷ୍କର୍ମ କଲାବେଳେ ପୀଡିତା କୌଣସି ପ୍ରତିରୋଧ କରିନଥିଲେ । ତେଣୁ ଉଭୟ ସହମତି ଭିତ୍ତିରେ ପରସ୍ପର ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ । ଏନେଇ ଅଭିଯୁକ୍ତ କରିଥିବା ଦାବି ସତ । ଏହି କାରଣରୁ ହାଇକୋର୍ଟ ଉକ୍ତ ମାମଲାରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି ।

ସୂଚନାନୁସାରେ, ସୂରଜ କାସରକର (୨୬ ବର୍ଷ) ନାମକ ଅଭିଯୁକ୍ତକୁ ନିମ୍ନ ଅଦାଲତ ୨୦୧୯ ମାର୍ଚ୍ଚ ୨୪ରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ସେ ଏକ ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସୂରଜ କିନ୍ତୁ ହାଇକୋର୍ଟରେ ଏହାକୁ ଚାଲେଞ୍ଜ କରିଥିଲା । ସେ ଯୁକ୍ତି କରିଥିଲେ କି, ଅଭିଯୋଗକାରିଣୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ସବୁବେଳେ ଆତୁର ଥିଲେ । ଉଭୟ ପରସ୍ପରର ସହମତି ଆଧାରରେ ଏପରି ସମ୍ପର୍କ ରଖିଥିଲେ । ମାତ୍ର ସେ ଅଭିଯୋଗକାରିଣୀଙ୍କ ଘରକୁ ଯାଉଥିଲାବେଳେ ତାଙ୍କ ମାଆ ତାଙ୍କୁ ଦେଖିଦେଇଥିଲେ । ଯୁବତୀ ଜଣକ ନିଜ ମାଆଙ୍କ ଚାପରେ ପଡି ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହି ମାମଲାର ଶୁଣାଣି କରିଥିଲେ ବମ୍ବେ ହାଇକୋର୍ଟ । କୋର୍ଟ କହିଥିଲେ ଯେ, ଦୁଷ୍କର୍ମ ମାମଲାରେ ପୀଡ଼ିତାର ବୟାନ ଆଧାରରେ ବି ଅଭିଯୁକ୍ତକୁ ଦୋଷୀ ଭାବେ ଘୋଷଣା କରାଯାଇପାରିବ । ମାତ୍ର ଏକ୍ଷେତ୍ରରେ ପୀଡ଼ିତାଙ୍କ ବୟାନରେ ଅନେକ ତ୍ରୁଟିବିଚ୍ୟୁତି ରହିଛି ଯାହାକି ସନ୍ଦେହଜନକ । ପ୍ରଥମରେ, ତାଙ୍କ ବୟସ ୧୫ ବର୍ଷ ବୋଲି କୌଣସି ପ୍ରମାଣ ନାହିଁ । ସେ ନିଜ ମାଆଙ୍କ କଥା ମାନି ତାଙ୍କ ବୟସ ୧୫ ବର୍ଷ ବୋଲି ପୋଲିସ ଆଗରେ କହିଥିବାର ସ୍ୱୀକାର କରିସାରିଛନ୍ତି । ଏପରିକି କୋର୍ଟରେ ଦାଖଲ କରାଯାଇଥିବା ତାଙ୍କର ଜନ୍ମ ପ୍ରମାଣପତ୍ରରେ ତ୍ରୁଟି ରହିଥିବା ଦେଖିବାକୁ ମିଳିଛି । ତେଣୁ ଏହା ଆଧାରରେ ତାଙ୍କର ବୟସ ୧୫ ବର୍ଷ ବୋଲି ନିର୍ଣ୍ଣୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏତତ୍ ବ୍ୟତୀତ, ପୀଡ଼ିତା ନିଜେ ବୟାନରେ କହିଥିଲେ ଯେ, ତାଙ୍କ ମାଆ ଘଟଣାସ୍ଥଳକୁ ଆସିନଥିଲେ ସେ ଏନେଇ ପୋଲିସ ପାଖରେ ଅଭିଯୋଗ କରିନଥାନ୍ତେ । ତାଙ୍କ ଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ । ତେଣୁ ଏସବୁ ଆଧାରରେ ଅଭିଯୁକ୍ତର ଦାବି ସତ ବୋଲି ଗ୍ରହଣ କରାଯାଉଛି । ଏହି କାରଣରୁ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ କରିବାକୁ ଦିଆଗଲେ ଏହା ଠିକ୍ ହେବ ନାହିଁ। ଏସବୁ ବିଚାର କରି କୋର୍ଟ ସୁରଜକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.