ଚିଦାମ୍ବରମ୍‌ଙ୍କ ପରେ ଏବେ ଏନ୍‌ସିପି ନେତା ଶରଦ ପାୱାର ଅଡୁଆରେ : ହଜାରେ କୋଟିର ବ୍ୟାଙ୍କ୍ ଦୁର୍ନୀତି ନେଇ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | August 23, 2019 IST

ମୁମ୍ବାଇ ୨୩|୮: ମହାରାଷ୍ଟ୍ର ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କ୍ ରେ ହଜାରେ କୋଟିର ଦୁର୍ନୀତି ମାମଲାରେ ବମ୍ବେ ହାଇକୋର୍ଟ ୭୦ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(NCP)ର ଅଧ୍ୟକ୍ଷ ଶରଦ ପାଓ୍ବାର, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୭୦ଜଣଙ୍କ ବିରୋଧରେ ୫ଦିନ ମଧ୍ୟରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଏସ.ସି. ଧର୍ମାଧିକାରୀ ଏବଂ ଜଷ୍ଟିସ୍ ଏସ.କେ. ସିଂଦେଙ୍କ ଖଣ୍ଡପୀଠ ପ୍ରତ୍ୟେକ୍ଷଦର୍ଶୀଙ୍କ ସାକ୍ଷ ଆଧାରରେ ଇଓଡବ୍ଲୁକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁମ୍ବାଇର ଜଣେ ସାମାଜିକ କର୍ମୀ ସୁରିନ୍ଦର ଏମ ଆରୋରାଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଆଇଏଲରେ ଶରଦ ପାଓ୍ବାର ଏବଂ ଅଜିତ ପାଓ୍ବାରଙ୍କ ବ୍ୟତୀତ ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ , ପ୍ରତିଷ୍ଠିତ ରାଜନେତା, ସରକାରୀ ଏବଂ ବ୍ୟାଙ୍କ୍ ଅଧିକାରୀଙ୍କ ନାଁ ରହିଛି । କୋଅପରେଟିଭ୍ ବ୍ୟାଙ୍କରେ ୨୦୦୭ରୁ ୨୦୧୧ ମଧ୍ୟରେ ୧,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ମହାରାଷ୍ଟ୍ର କୋଅପରେଟିଭ ସୋସାଇଟିଜ ଆକ୍ଟ ଆଧାରରେ ଏକ ଅର୍ଦ୍ଧ ବିଚାର ବିଭାଗୀୟ ଯାଞ୍ଚ କମିଟି ଏହି ମାମଲାରେ ପାଓ୍ବାରଙ୍କ ସମେତ ଅନ୍ୟମାନଙ୍କୁ ଏଥିପାଇଁ ଦାୟୀ କରିଥିଲା ।

ନ୍ୟାସନାଲ ବ୍ୟାଙ୍କ୍ ଫର୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ମଧ୍ୟ ଏମଏସସିବି ଯାଞ୍ଚ କରିଥିଲା । ଯାଞ୍ଚରେ ଜଣାପଡିଥିଲା ଯେ, ଚିନି କଳ ଏବଂ କପା ମିଲ୍ ଗୁଡିକୁ ବ୍ୟାଙ୍କିଙ୍ଗ୍ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ନିୟମ ଉଲଂଘନ କରାଯାଇ ବିଚାର ବିମର୍ଶ ନକରି ଲୋନ୍ ଦିଆଯାଇଥିଲା । ଯେଉଁ ଲୋନ୍ ଆଜି ଯାଏ ଅନାଦେୟ ରହିଛି । ସୁରିନ୍ଦର ଯାଞ୍ଚ ରିପୋର୍ଟ ଏବଂ ଅଭିଯୋଗ ଦାଖଲ କଲା ପରେ ମଧ୍ୟ କାହା ବିରୋଧରେ ମାମଲା ରୁଜୁ କରାଯାଇନଥିଲା । ଯାହା ଫଳରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.