ବିସିସିଆଇକୁ ଶକ୍ତ ଝଟକା: ଡେକାନ ଚାର୍ଜର୍ସକୁ ୪୮୦୦ କୋଟି ଟଙ୍କା ଦେବାକୁ ଅଦାଲତି ନିର୍ଦ୍ଦେଶ, ବେଆଇନ ଭାବେ IPL‌ରୁ କରିଥିଲେ ଟର୍ମିନେଟ୍

Published By : Prameya-News7 Bureau | July 18, 2020 IST

ମୁମ୍ବାଇ ୧୮।୦୭ : କୋଭିଡ୍‌ର ଆତଙ୍କ ବେଳେ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କେବେ ଅନୁମତି ଦେବେ ତା ଉପରେ ସମସ୍ତଙ୍କ ନଜର । ସୌରଭ ଗାଙ୍ଗୁଲି ନେତୃତ୍ବଧୀନ ବିସିସିଆଇ ଆଗରେ ଅନେକ ଚ୍ୟାଲେଞ୍ଜ । ଏହି ସମୟରେ ବିସିସିଆଇକୁ ଲାଗିଛି ଏକ ବଡ଼ ଝଟକା । ହାଇଦ୍ରାବାଦ ଭିତ୍ତିକ ପୂର୍ବ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଡେକାନ ଚାର୍ଜର୍ସକୁ ବେଆଇନ ଭାବେ ଅଯୋଗ୍ୟ ଘୋଷଣା କରିଥିବାର ଦୋଷ ଲାଗିଛି ବିସିସିଆଇ ଉପରେ । ଏଥିପାଇଁ ୨୦୦୯ର ଆଇପିଏଲ ଚାମ୍ପିଅନ ଡେକାନ ଚାର୍ଜର୍ସକୁ ୪ ହଜାର ୮୦୦ କୋଟି ଟଙ୍କା ଜରିମାନା ବା କ୍ଷତିପୂରଣ ରାଶି ଦେବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆର୍ବିଟ୍ରେଟର ।

{"id":302231,"sizeSlug":"large"}

ବର୍ତ୍ତମାନ ଡେକାନ ଚାର୍ଜର୍ସ ନାମରେ ଆଇପିଏଲ ଟିମ୍‌ ଆଉ ନାହିଁ । କିନ୍ତୁ ବିପୁଳ ଅର୍ଥର ଆଇପିଏଲ୍‌ ଲିଗ୍‌ ପ୍ରଥମେ ଯେଉଁ ୮ ଟି ଫ୍ରାଞ୍ଚାଇଜ୍‌କୁ ନେଇ ଆରମ୍ବ ହୋଇଥିଲା , ସେଥିରେ ଏକ ଦଳ ଥିଲା ଡେକାନ ଚାର୍ଜର୍ସ ।ଦଳ ମାଲିକ ଥିଲେ ଡେକାନ ଚାର୍ଜର୍ସ ହୋଲଡିଂସ୍ ଲିମିଟେଡ । ତେବେ ବିବାଦଟି ୨୦୧୨ ମସିହାର । ଘଟଣାର ଆରମ୍ଭ ସେପ୍ଟେମ୍ବର ୧୫ ତାରିଖ, ୨୦୧୨ ମସିହାରେ ।  ସେହିଦିନ ବିସିସିଆଇ ପରିଚାଳନା ପରିଷଦ ବା ଗଭର୍ଣ୍ଣିଂ କାଉନସିଲ୍‌ର ଏକ ଜରୁରୀ ବୈଠକରେ ଆଇପିଏଲ୍‌ରୁ ଡେକାନ ଚାର୍ଜର୍ସକୁ ଅଯୋଗ୍ୟ ଘୋଷଣା ସହ ବହିଷ୍କାର ବା ଟର୍ମିନେସନ ନିଷ୍ପତ୍ତି ନିଆଗଲା । ବିସିସିଆଇ ପକ୍ଷରୁ ସେହି ମର୍ମରେ ଘୋଷଣା ମଧ୍ୟ କରିଦିଆଗଲା । କିନ୍ତୁ ସେହି ନିଷ୍ପତ୍ତିକୁ ବେଆଇନ ଦର୍ଶାଇ  ମିଡିଆ କମ୍ପାନୀ ଡେକାନ ଚାର୍ଜର୍ସ କୋର୍ଟକୁ ଗଲେ । ବମ୍ବେ ହାଇକୋର୍ଟ ମାମାଲାର ଶୁଣାଣି ଲାଗି ସୁପ୍ରିମକୋର୍ଟର  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସି.କେ. ଠାକ୍କରଙ୍କୁ  ଆର୍ବିଟ୍ରେଟର ନିଯୁକ୍ତ କଲେ । ଆଉ ଏବେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତି  ପୂର୍ବତନ ଆଇପିଏଲ ଫ୍ରାଞ୍ଚାଇଜ ଡେକାନ ଚାର୍ଜର୍ସ ସପକ୍ଷରେ ଆସିଛି । ବିସିସିଆଇ ବିରୋଧରେ ଏକ ବଡ ବିଜୟ ହାସଲ କରିଛି ଡେକାନ ଚାର୍ଜର୍ସ ।     

{"id":302232,"sizeSlug":"large"}

 ହାଇଦ୍ରାବାଦର ମିଡିଆ ହାଉସ ଡେକାନ ଗୃପ୍ ମାଲିକାନାରେ ଥିବା ଡେକାନ ଚାର୍ଜର୍ସ ୨୦୦୮ ରୁ ୨୦୧୨  ପର୍ଯ୍ୟନ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜ ରହିଥିଲା । ତେବେ ୨୦୦୯ର ସାଧାରଣ ନିର୍ବାଚନ କାରଣରୁ ଆଇପିଏଲ୍‌ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା ଏବଂ ସେ ବର୍ଷ ଟାଇଟଲ ଜିତିଥିଲା ଡେକାନ ଚାର୍ଜର୍ସ ।  ପରେ ଡେକାନ ଚାର୍ଜର୍ସ ଆଇପିଏଲ୍‌ରୁ ଆଉଟ ହେବା ପରେ ସେହି ସ୍ଥାନରେ ହାଇଦ୍ରାବାଦର ଆଉ ଏକ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ ସାମିଲ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.