ଗର୍ଭପାତ କରିବା ପାଇଁ କୋର୍ଟରେ ଅପିଲ କଲେ ନାବାଳିକା : ନ୍ୟାୟ ପାଇଁ ମେଡିକାଲ୍ ବୋର୍ଡ଼ ଗଠନ କଲେ ଅଦାଲତ

Published By : Prameya-News7 Bureau | May 16, 2020 IST

ମୁମ୍ବାଇ ୧୬/୫: ବମ୍ବେ ହାଇକୋର୍ଟ ମୁମ୍ବାଇ ସ୍ଥିତ ଜେଜେ ହସ୍ପିଟାଲକୁ ଏକ ମେଡିକାଲ୍ ବୋର୍ଡ଼ ବନାଇବାର ଏବଂ ଏହି କଥାର ଆକଳନ କରିବାର ନିର୍ଦେଶ ଦେଇଛନ୍ତି ଯେ ଯୌନ ନିର୍ଯାତନା ଯୋଗୁଁ ୨୪ସପ୍ତାହର ଗର୍ଭବତୀ ହୋଇଥିବା ନାବାଳିକା ପୀଡ଼ିତାଙ୍କ ସ୍ବାସ୍ଥ୍ୟକୁ କୌଣସି ବିପଦ ନଥିବା ଗର୍ଭପାତ କରାଯାଇପାରିବ କି ନାହିଁ। ବିଚାରପତି ଏସଜେ କାଠଓ୍ବାଲା ଶୁକ୍ରବାର ଏହାକୁ ନେଇ ନିର୍ଦେଶ ଦେଇଛନ୍ତି।

ପୀଡ଼ିତା ଅଦାଲତଙ୍କୁ କହିଛନ୍ତି ଯେ ସେ ମାନସିକ ଅବସାଦରେ ଅଛନ୍ତି ଏବଂ ସେ ଗର୍ଭପାତ କରାଇବାକୁ ଚାହୁଁଛନ୍ତି ଯାହା ଫଳରେ ପାଠପଢ଼ା ପ୍ରତି ଧ୍ୟାନ ଦେଇପାରିବେ। ଅଦାଲତ ନାବାଳିକାଙ୍କ ମାଆଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ପୀଡ଼ିତାଙ୍କ ମାଆ ଉଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ପୋଲିସ୍ ପ୍ରଥମେ ଅଭିଯୁକ୍ତଙ୍କ ବିରୋଧ​‌ରେ ଯୌନ ନିର୍ଯାତନାର ମାମଲା ରୁଜୁ କରି ସାରିଛି।

ଆବେଦନ ଅନୁସାରେ ବର୍ତ୍ତମାନ ସେ ୧୭ବର୍ଷର ନାବାଳିକା ଗତ ବର୍ଷ ନଭେମ୍ବରରେ ନିଜ ବାପା ମାଆଙ୍କ ଘରୁ ଚାଲିଯାଇଥିଲେ। ସେ ୨୦୨୦ ଜାନୁୟାରୀରେ ନିଜ ଘରକୁ ପହଞ୍ଚିଥିଲେ ଏବଂ ମେ ମାସରେ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅନୁଭବ ହୋଇଥିଲା ଯେ ସେ ଗର୍ଭବତୀ ଅଛନ୍ତି। ଘରୁ ଚାଲିଯିବା ପରେ ପୀଡ଼ିତାଙ୍କୁ ନଭି ମୁମ୍ବାଇ ପାଖରେ ଏକ ଫ୍ୟାକ୍ଟ୍ରିରେ ଚାକିରୀ ମିଳିଯାଇଥିଲା। ଅଭିଯୁକ୍ତ ସେହି ଫ୍ୟାକ୍ଟ୍ରିରେ କାମ କରୁଥିଲା। ଅଦାଲତ ପୀଡ଼ିତାଙ୍କୁ ପଚାରିଥିଲେ ଯେ ନାବାଳିକା ହେବା ସତ୍ବେ ତାଙ୍କୁ ଫ୍ୟାକ୍ଟ୍ରିରେ କିପରି ଚାକିରୀ ମିଳିଥିଲା। ଏହା ପରେ ପୀଡ଼ିତା ତାଙ୍କୁ ଭିଡିଓ କନଫରେନସିଂ ଜରିଆରେ କହିଥିଲେ ଯେ ତାଙ୍କୁ କୌଣସି ପ୍ରକାରର କାଗଜପତ୍ର ମଗା ଯାଇନଥିଲା। ସେ ଅଦାଲତଙ୍କୁ କହିଥିଲେ ଯେ ସେ ଗର୍ଭବତୀ ହେବା କାରଣରୁ ମାନସିକ ଅବସାଦରେ ରହିଛନ୍ତି ଏବଂ ଏଥିପାଇଁ ଗର୍ଭପାତ କରାଇବାକୁ ଚାହୁଁଛନ୍ତି।

ବିଚାରପତି ପୀଡ଼ିତାଙ୍କୁ ଶନିବାର ଚିକିତ୍ସା ମୂଲ୍ୟାଙ୍କନ ପାଇଁ ବୋର୍ଡ଼ ସମକ୍ଷକୁ ଯିବାକୁ ନିର୍ଦେଶ ଦେଇଥିଲେ। ଅଦାଲତ କହିଥିଲେ ଯେ ବୋର୍ଡ଼ ଅଦାଲତ ସମକ୍ଷରେ ନିଜର ରିପୋର୍ଟ ଦେଖାଇବ,ଯାହା ଦ୍ବାରା ଏହା ନିର୍ଦ୍ଧାରିତ କରାଯିବ ଯେ ଗର୍ଭପାତ କରିବା ଉଚିତ୍ ହେବ କି ନାହିଁ। ବୋର୍ଡ଼ ରିପୋର୍ଟ ଏହା ମଧ୍ୟ ଉଲ୍ଲେଖ କରିବ ଯେ ଏହା ଦ୍ବାରା ପୀଡ଼ିତାଙ୍କ ଜୀବନ ପ୍ରତି କୌଣସି ବିପଦ ରହିଛି କି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.