ଟାଟା- ବମ୍ବେ ଡାଇଙ୍ଗ୍ ବିବାଦ ତୁଟିଲା : ୩ ହଜାର କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଉଠାଇନେଲେ ନୁସଲି ୱାଡିଆ
13/01/2020 at 8:25 PM

ମୁମ୍ବାଇ ୧୩/୦୧ – କର୍ପୋରେଟ ୱାର୍ଲ୍ଡର ଏକ ବଡ ଖବର । ରତନ ଟାଟାଙ୍କ ସହ ନୁସଲି ୱାଡିଆଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ । ବମ୍ବେ ଡାଇଙ୍ଗ୍ ଅଧ୍ୟକ୍ଷ ନୁସଲି ୱାଡିଆ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ଏମିରେଟ୍ସ ରତନ ଟାଟା ଏବଂ ଅନ୍ୟମାନଙ୍କ ବିରୋଧରେ ଦାୟର କରିଥିବା ସମସ୍ତ ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କରିନେଇଛନ୍ତି । ଏହି ମାମଲା ଗୁଡିକ ମଧ୍ୟରେ ରହିଛି ୩୦୦୦ କୋଟି ଟଙ୍କାର ଡ୍ୟାମେଜ ସୁଟ୍ ସହ ଆଉ କିଛି ମାମାଲା । ରତନ ଟାଟା ଏବଂ ଟାଟା ସନ୍ସର ଅନ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ ୨୦୧୬ରେ ହିଁ ଏହି ସବୁ ମାମଲା ରୁଜ୍ଜୁ କରିଥିଲେ ବମ୍ବେ ଡାଇଙ୍ଗ ଚେୟାରମ୍ୟାନ୍ । ଟାଟା ଗ୍ରୁପ୍ କମ୍ପାନୀ ସମୁହର ବୋର୍ଡରୁ ତାଙ୍କୁ ବିଦା କରାଯିବା ପରେ କ୍ଷୁବ୍ଧ ନୁସଲି ୱାଡିଆ ଏହି ମାମାଲା ସବୁ ରୁଜ୍ଜୁ କରିଥିଲେ

ସୁପ୍ରିମକୋର୍ଟରେ ଏହି ମାମାଲା ଚାଲିଥିବା ବେଳେ ସୋମବାର ନୁସଲି ୱାଡିଆ କେଶ୍ ସବୁ ପ୍ରତ୍ୟାହାର କରିନେଇଛନ୍ତି । ପ୍ରଧାନବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଥିଲାଗି ଅନୁମତି ଦେଇଛନ୍ତି । ନୁସଲି ୱାଡିଆଙ୍କୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ଟାଟା ଏବଂ ଅନ୍ୟମାନହ୍କର ନଥିଲା । ଏହା ରେକର୍ଡ କରିବା ପରେ ସର୍ବୋଚ୍ଚ ଅଦାଲତ ନୁସଲି ୱାଡିଆଙ୍କୁ ତାଙ୍କ କେଶ୍ ସବୁକୁ ପ୍ରତ୍ୟାହାର ଲାଗି ଅନୁମତି ଦେଇଥିଲେ । ଟାଟାଙ୍କ ପକ୍ଷରୁ ଏନେଇ ବିବୃତ୍ତିକୁ ସୁପ୍ରିମକୋର୍ଟ ବିଚାର କରିବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ଅନୁଧ୍ୟାନ କରିଥିଲେ । ଏହାପରେ କୋର୍ଟ ୱାଡିଆଙ୍କ କେଶ୍ ପ୍ରତ୍ୟାହାର ଆବେଦନକୁ ଗ୍ରହଣ କରିଥିବା ତାଙ୍କ ଓକିଲ ସି.ଏ. ସୁନ୍ଦରମ୍ଙ୍କୁ ଜଣାଇଥିଲେ । ଏହା ପୂର୍ବରୁ ଗତ ୬ ତାରିକାରେ ସର୍ବୋଚ୍ଚ ଅଦାଲତ ଉଭୟ ଟାଟା ଏବଂ ୱାଡିଆଙ୍କୁ ଏକାଠି ବସି ସେମାନଙ୍କ ଭିତରେ ଥିବା ବିବାଦ ଏବଂ ମାନହାନୀ ମୋକଦ୍ଦମା ସମାଧାନ ଲାଗି କହିଥିଲେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ବିଚାରପତି ବି.ଆର୍.ଗାବାଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତ ମାମାଲାର ଶୁଣାଣି କରିଛନ୍ତି ।

୨୦୧୬ ରେ ଟାଟା ଗ୍ରୁପ୍ର କିଛି କମ୍ପାନୀ ନିର୍ଦ୍ଦେଶକ ଟାଟା ବୋର୍ଡରୁ ନୁସଲି ୱାଡିଆଙ୍କ ବହିଷ୍କାର ଲାଗି ଭୋଟ ଦେଇଥିଲେ । ଏହାପରେ ଟାଟା ବନାମ ୱାଡିଆ ବା ଟାଟା ବନାମ ବମ୍ବେ ଡାଇଙ୍ଗ ବିବାଦ ତୀବ୍ର ହୋଇଥିଲା । ୨୦୧୬ ଅକ୍ଟୋବର ୨୪ ରେ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ସାଇରସ୍ ମିସ୍ତ୍ରୀଙ୍କୁ ବିଦା କରାଯିବା ପରେ ୱାଡିଆ ଆଣିଥିଲେ ଅଭିଯୋଗ । ମିସ୍ତ୍ରୀଙ୍କୁ ବିଦା କରିବାପରେ ଟାଟା ଏବଂ ଅନ୍ୟମାନେ ତାଙ୍କ ବିରୋଦରେ ମାନହାନୀ କଲା ଭଳି ବକ୍ତବ୍ୟ ରକୁଥିବା ନେଇ ୱାଡିଆ ଅଭିଯୋଗ କରିଥିଲେ । ମାମାଲା କୋର୍ଟକୁ ଯାଇଥିଲା । ତେବେ ମାମାଲା ଖାରଜ ପାଇଁ ଟାଟା ଏବଂ ଅନ୍ୟମାନେ ହାଇକୋର୍ଟରେ ଆବେଦନ କରିଥିଲେ । ଏବେ ପ୍ରାୟ ୩ ବର୍ଷରୁ ଅଧିକ ସମୟ ପରେ ଏହି ବିବାଦରେ ଫୁଲଷ୍ଟପ୍ ଲାଗିଛି ।