ବିସ୍ଫୋରଣ ଧମକ ପରେ ଅଯୋଧ୍ୟାରେ ହାଇ ଆଲର୍ଟ: ସୁରକ୍ଷା ବ୍ୟବସ୍ଥା କଡାକଡି, ବ୍ଲାକ୍ କ୍ୟାଟ୍ କମାଣ୍ଡୋ ନିୟୋଜିତ

Published By : Prameya-News7 Bureau | December 02, 2021 IST

ଅଯୋଧ୍ୟା ୦୨/୧୨ : ରାମନଗରୀ ଅଯୋଧ୍ୟାରେ ବିସ୍ଫୋରଣ ଧମକ ପରେ ଉତ୍ତର ପ୍ରଦେଶ ପୋଲିସ ହାଇ ଆଲର୍ଟରେ ଅଛି। ପୋଲିସ ପ୍ରବେଶ ଦ୍ୱାର, ହୋଟେଲ ଓ ଧର୍ମଶାଳା, ବସ ଷ୍ଟେସନ ଓ ରେଲୱେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛି। ଗୁରୁବାର ଦିନ କୌଣସି ଅଜଣା ବ୍ୟକ୍ତି ୧୧୨ ରେ ଫୋନ କରି ଏହି ଧମକ ଦେଇଛି। ଧମକ ଦେଇଥିବା ଯୁବକ ଅହମଦାବାଦ ସହରର ବୋଲି କୁହାଯାଉଛି। ଧମକ ପରେ ଅଯୋଧ୍ୟାରେ ସ୍ଥାନୀୟ ପୋଲିସ ସତର୍କ ଅଛି। ଅଯୋଧ୍ୟା ପ୍ରବେଶ ଦ୍ୱାରରେ ଘନଘନ ଚେକିଂ ଚାଲିଛି। ଲୋକଙ୍କ ଆଇଡି ଦେଖି ପ୍ରବେଶ ଦିଆଯାଉଛି।

ଅଯୋଧ୍ୟାରେ ରାମ ଜନ୍ମଭୂମି କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପ୍ରତି ଗଳିକନ୍ଦିରେ ବ୍ଲାକ କ୍ୟାଟ କମାଣ୍ଡୋ ନିୟୋଜିତ କରାଯାଇଛି। ପୋଲିସ ଅଧିକାରୀ ପୋଲିସବଲ ସହ ୟେଲୋ ଜୋନରେ ରୁଟ ମାର୍ଚ୍ଚ କରିଛି। ସମସ୍ତ ସୁରକ୍ଷା ପଏଣ୍ଟ ଆକ୍ଟିଭେଟ କରାଯାଇଛି। ୟେଲୋ ଜୋନରେ ଏଟିଏସ ଟିମ ନିରୀକ୍ଷଣ କରିଛି। ଅଯୋଧ୍ୟାର ସବୁ ବ୍ୟାରିୟରରେ ଚେକିଂ ହେଉଛି। ବରିଷ୍ଠ ପୋଲିସ ଅଧିକ୍ଷକ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି।

ଏହା ପୂର୍ବରୁ ଉତ୍ତର ପ୍ରଦେଶ ପୋଲିସକୁ ଏକ ଗୁଇନ୍ଦା ଆଲର୍ଟ ମିଳିଥିଲା। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ନାଁରେ ମିଳିଥିବା ଧମକପୂର୍ଣ ଚିଠିରେ ଲକ୍ଷ୍ନୌ, ଅଯୋଧ୍ୟା, କାନପୁର, ବାରାଣାସୀ ସମେତ ୪୬ ରେଲୱେ ଷ୍ଟେସନକୁ ବୋମାରେ ଉଡେଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ରେଲୱେ ଷ୍ଟେସନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଲକ୍ଷ୍ନୌ, ଅଯୋଧ୍ୟା, କାନପୁର ସମେତ ଅନେକ ଷ୍ଟେସନରେ ପୋଲିସ ଛଡା ଡଗ ସ୍କ୍ୱାର୍ଡ ମଧ୍ୟ ନିରୀକ୍ଷଣ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.