ଏମିତି ବି ନିଷ୍ଠୁର ହୋଇପାରେ ମଣିଷ ! ଗାଈ ପାଟିରେ ଫୁଟିଲା ବୋମା, ବାରହା ଶିକାର ପାଇଁ ଖଞ୍ଜିଥିଲା ଶିକାରୀ
5/01/2021 at 5:05 PM

ଖଲ୍ଲିକୋଟ ୦୫।୦୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ଗାଈ ଅବସ୍ଥା ଗୁରୁତର ହୋଇ ପଡିଛି । ଗାଈ ଗୁରୁତର ଆହତ ହେବାର କରୁଣ ଚିତ୍ର ଲୋକଙ୍କୁ ମର୍ମାହତ କରିଛି।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ୍ତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖନ୍ତି ଏବଂ ବାରହା ତାକୁ ଖାଇ ମୃତ୍ୟୁ ବରଣ କରନ୍ତି । ତେବେ ବେଳେ ବେଳେ ଗାଈଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ମୃତ୍ୟୁବରଣ କରିଥିବା ନଜିର ରହିଛି ।
ତେବେ ଆଜି କେନ୍ଦୁପାଟ ଗ୍ରାମର ସୁଦୁରୁ ରାଉତଙ୍କ ଗାଈ ରବିବାର ଦିନ ବାହାରକୁ ଚରିବାକୁ ଯାଇ ଘରକୁ ଫେରି ନଥିଲା। ଆଜି ସକାଳୁ ବହୁ ଖୋଜାଖୋଜି ପରେ ଦିନ ୧୦ ଟାରେ ଗ୍ରାମର ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁର ତଳ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି । ଏ ନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ।
ଏତଲା ପାଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନ୍ୟଜନ୍ତୁ ଶିକାର କରୁଥିବା ମାଫିଆଙ୍କ ଟେର୍ ପାଉନି ବନବିଭାଗ ।