ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ, ୯ ଗୁରୁତର

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦/୧୦: ଆଫଗାନିସ୍ତାନରେ ସିରିଜ୍‌ ବୋମା ବିସ୍ଫୋରଣ। ବଦର୍କ ପ୍ରାନ୍ତରେ ଘଟିଥିବା ଦୁଇଟି ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡ଼ିଛି। ତାଲିବାନୀ ଆତଙ୍କବାଦୀଙ୍କ ଦ୍ବାରା ଏହି ବୋମା ବିସ୍ଫୋରଣ କରାଯାଇଛି। ଜଳରେଜ ଜିଲ୍ଳାର କୋଟା-ଏ-ଅଶରେ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ନେଇ ପ୍ରାନ୍ତୀୟ ପ୍ରବକ୍ତା ମୋହିବୁଲ୍ଲା ଶରିଫଜୟୀ ସୂଚନା ଦେଇଛନ୍ତି।

ଆତଙ୍କବାଦୀ ପୂର୍ବରୁ ଲଗାଇଥିବା ଆଇଇଡି ବିସ୍ଫୋରଣରେ ଏବେ ସୁଦ୍ଧା ୫ ଜଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଶରିଫଜୟୀ କହିଛନ୍ତି।

ଆଫଗାନିସ୍ତାନରେ ଆତଙ୍କବାଦୀ ସେନାଙ୍କୁ ଟାର୍ଗେଟେ କରି ରାସ୍ତା କଡ଼ରେ ଆଇଇଡି ଲଗାଇ ବିସ୍ଫୋରଣ କରୁଛନ୍ତି। କିନ୍ତୁ ଏଥିରେ ସାଧାରଣ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି। ଚଳିତ ମାସ ଆରମ୍ଭରେ ଆତଙ୍କବାଦୀ ଦ୍ବାରା କରାଯାଇଥିବା ବୋମା ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୯ ଜଣ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.