ବଲିଉଡ୍ ଗାୟିକା କନିକା କପୁର କରୋନାରେ ସଂକ୍ରମିତ: ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୩୦୦ ଜଣ, ହୋମ୍ ଆଇସୋଲେସନରେ ରହିଲେ ବସୁନ୍ଧରା

Published By : Prameya-News7 Bureau | March 20, 2020 IST

ଲକ୍ଷ୍ନୌ, ୨୦|୦୩:  ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରସିଦ୍ଧ ବଲିଉଡ୍ ଗାୟିକା କନିକା କପୁର କରୋନାରେ ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୧୫ରେ ସେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ। ତେବେ ସେ ବିମାନ ବନ୍ଦରରେ ଗ୍ରାଉଣ୍ଡଷ୍ଟାଫଙ୍କୁ ନଜଣାଇ ଖସି ଆସିଥିଲେ। ଏହାପରେ ସେ ରବିବାର ଦିନ ଲକ୍ଷ୍ନୌର ଗେଲେଟ୍ ଆପାର୍ଟମେଣ୍ଟରେ ଏକ ପାର୍ଟି ଆୟୋଜନ କରିଥିଲେ। ଏଥିରେ ପ୍ରାୟ ୩୦୦ଜଣ ଉପସ୍ଥିତ ଥିଲେ। ଏହି ପାର୍ଟିରେ ଅନେକ ଅଫିସର ଓ ନେତା ସାମିଲ ହୋଇଥିଲେ। ଏହି ଘଟଣା ସାମ୍ନାକୁ ଆସିଲା ପରେ ଆପାର୍ଟମେଣ୍ଟରେ ଭୟର ବାତାବରଣ ଖେଳିଯାଇଛି।

{"id":241464,"width":777,"height":553,"sizeSlug":"large"}

ପାର୍ଟିରେ ଯୋଗଦେଇଥିବା କ୍ୟାଟରିଂ ସର୍ଭିସରୁ ଆରମ୍ଭ କରି ଅନ୍ୟ ପରିବାର ମଧ୍ୟ ଆତଙ୍କ ମଧ୍ୟରେ ରହିଛନ୍ତି। ଏହି ପାର୍ଟି ପୂର୍ବରୁ କନିକା ହୋଟେଲ ତାଜରେ ମଧ୍ୟ ରହିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ଅନେକ ପରିବାର ଆପାର୍ଟମେଣ୍ଟ ଛାଡି ଚାଲିଯାଇଛନ୍ତି। ଏବେ ତାଙ୍କର ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ।

ତେବେ ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସାଂସଦ ଦୁଷ୍ମନ୍ତ ସିଂ ମଧ୍ୟ ସେଠାକୁ ଯାଇଥିଲେ।  ବସୁନ୍ଧରା ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି।

{"id":241458,"width":751,"height":422,"sizeSlug":"large"}

ଏବେ ସୁଦ୍ଧା ୨୧୦ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ୫ଜଣ ପ୍ରାଣ ମଧ୍ୟ ହରାଇ ସାରିଛନ୍ତି। ଦେଶରେ ଏବେ କରୋନା ଭାଇରସର ସଂକ୍ରମଣ ଦ୍ୱିତୀୟ ଷ୍ଟେଜରେ ରହିଛି। ଯଦି ସ୍ଥିତି ଅସମ୍ଭାଳ ହୁଏ ତେବେ ଏହା ତୃତୀୟ ଷ୍ଟେଜ ଅର୍ଥାତ କମ୍ୟୁନିଟୀ ଟ୍ରାନ୍ସମିଶନରେ ଚାଲିଯିବ। ଦେଶର ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଗେଟକୁ ମଧ୍ୟ ବନ୍ଦ କରିଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ରିପୋର୍ଟରେ କହିଛି ଯେ, ଭାରତରେ କରୋନା ସଂକ୍ରମଣ ସ୍ଥାନୀୟ ସ୍ତରରେ ପହଁଚିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.