କୃଷ୍ଣସାର ମୃଗ ଶିକାର ମାମଲା: ଯୋଦ୍ଧପୁର କୋର୍ଟରେ ହାଜର ହେଲେନି ସଲମାନ
27/09/2019 at 6:16 PM

ଯୋଦ୍ଧପୁର : କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ଅଭିନେତା ସଲମାନ ଖାନ ଶୁକ୍ରବାର ଯୋଦ୍ଧପୁର କୋର୍ଟରେ ହାଜର ହୋଇ ନାହାନ୍ତି। ତେବେ ସଲମାନଙ୍କ ପକ୍ଷରୁ ସେ ଏବେ ସୁଟିଂରେ ବ୍ୟସ୍ତ ଥିବା ତଥା ଜନୈକ ଗ୍ୟାଙ୍ଗଷ୍ଟର ତାଙ୍କୁ ହତ୍ୟା ଧମକ ଦେଇଥିବାରୁ ସେ କୋର୍ଟରେ ହାଜର ହୋଇପାରୁନଥିବା ଜଣାଇଛନ୍ତି। ଏଥିଲାଗି ସଲମାନ ହାଜିର କ୍ଷମା ନିବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ଡିସେମ୍ବର ୧୯ ତାରିଖରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାୟ ୨୧ ବର୍ଷ ପୂର୍ବେ କୋଙ୍କଣୀ ଗାଁରେ ସଲମାନ ଓ ତାଙ୍କ ସାଥୀମାନେ ୨ଟି କୃଷ୍ଣସାର ମୃଗ ଶିକାର କରିଥିଲେ। ଏଥିଲାଗି କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ କରିଥିବା ବେଳେ ସେ ଉପର କୋର୍ଟରେ ଆବେଦନ କରିଛନ୍ତି। ମାମଲାରେ ସଲମାନ ଏବେ ସ୍ଥାୟୀ ହାଜିର ମାଫି ଲାଗି ନିବେଦନ କରିଥିବା ବେଳେ ଆଗାମୀ ଶୁଣାଣିରେ ହାଜର ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ସଫାସଫା କହିଦେଇଛନ୍ତି।

ତେବେ ଯୋଦ୍ଧପୁର କୋର୍ଟକୁ ସଲମାନ ଯିବାକୁ ଏବେ ଡରୁଛନ୍ତି। କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗର ଜଣେ ସାର୍ପ ସୁଟର ସଲମାନଙ୍କୁ ହତ୍ୟା ଧମକ ଦେଇଛି। ଯାହା ସୋସାଲ ମିଡିଆରେ ଏବେ ଘୁରି ବୁଲୁଛି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଫେସବୁକ୍ ଷ୍ଟୁଡେଣ୍ଟ ଗ୍ରୁପ ସୋପୁ ତାଙ୍କୁ ଏହି ହତ୍ୟା ଧମକ୍ ଦେଇଛି। ବିଶ୍ନୋଇ ସମାଜ ଓ ସୋପୁ ପାର୍ଟି ତାଙ୍କୁ ନିଶ୍ଚିତ ହତ୍ୟା କରିବ ବୋଲି ଧମକ୍ ଦେଇଛି। ସଲମାନଙ୍କ ସହ ଏହି ମାମଲାରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ, ନିଲମ, ତବୁ, ସୋନାଲି ବେନ୍ଦ୍ରେ ଓ ଦୁଷ୍ୟନ୍ତ ସିଂହ ପ୍ରମୁଖ ଅଭିଯୁକ୍ତ ଥିଲେ। ତେବେ ସନ୍ଦେହ ଆଧାରରେ ଏମାନେ କୋର୍ଟରୁ ମୁକ୍ତ ହୋଇଯାଇଥିବା ବେଳେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିଲେ।