Pfizer bioNTech କୋଭିଡ ଟିକାରେ କୁମ୍ଭୀର ହୋଇଯାଇପାରନ୍ତି ମଣିଷ, ମହିଳାଙ୍କ ମୁହଁରେ ଉଠିବ ନିଶଦାଢୀ: ବ୍ରାଜିଲ ରାଷ୍ଟ୍ରପତି
19/12/2020 at 5:37 PM

ବ୍ରାଜିଲିଆ: ଘୋର ଦକ୍ଷିଣପନ୍ଥୀ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସନାରୋ ଆମେରିକା ଓ ଜାପାନ ଗବେଷକଙ୍କ ଦ୍ୱାରା କୋଭିଡ-୧୯ ଲାଗି ବିକଶିତ ଫାଇଜର-ବାଓୟଏନ୍ ଟେକ୍ ଟିକାକୁ ନେଇ ଅଜବ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଟିକା ନେଲେ ମଣିଷମାନେ ହୁଏତ ହୁମ୍ଭୀର ଓ ମହିଳାଙ୍କ ମୁହଁରେ ନିଶଦାଢୀ ଉଠିବ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରାଜିଲ ରାଷ୍ଟ୍ରପତି ନିଜେ ଟିକା ଲଗାଇବେ ନାହିଁ ବୋଲି କହିଛନ୍ତି। ହେଲେ ତାଙ୍କ ଦେଶରେ ଖୁବ୍ ଶୀଘ୍ର କୋଭିଡ ଟିକାକରଣ ହେବାକୁ ଯାଉଛି। ତେବେ ଟିକାକରଣ ଲାଗି ଫାଇଜର ସରକାରଙ୍କ ସହ କରିଥିବା ରାଜିନାମାରେ ପାର୍ଶ୍ୱପ୍ରତିକ୍ରିୟା ଲାଗି କମ୍ପାନୀ ଦାୟି ନୁହନ୍ତି ବୋଲି ମୂଳରୁ ସ୍ପଷ୍ଟ କରିଦେଇଛନ୍ତି। ଏ ନେଇ କମ୍ପାନୀ ରଖିଥିବା ଯୁକ୍ତିକୁ ରାଷ୍ଟ୍ରପତି କେବଳ ଦୋହରାଇଛନ୍ତି। ଯଦି ଟିକା ନେବା ପରେ ଆପଣଙ୍କ ଚର୍ମ କୁମ୍ଭୀର ଭଳି ହୋଇଯାଏ ତେବେ ଏହା ଆପଣଙ୍କର ସମସ୍ୟା। ସେହିପରି କୌଣସି ମହିଳାଙ୍କ ମୁହଁରେ ନିଶଦାଢୀ ଉଠିଲେ ଅଥବା ଶ୍ୱର କର୍କଶ ହେଲେ ଏଭଳି ପାର୍ଶ୍ୱପ୍ରତିକ୍ରିୟା ଲାଗି ଟିକା କମ୍ପାନୀ ଦାୟି ନୁହେଁ।

ତେବେ ବୋଲସନାରୋ କହିଛନ୍ତି ଯେ ବ୍ରାଜିଲ ନିୟାମକ ପ୍ରାଧିକରଣ ଯେଉଁ ଟିକାକୁ ମଞ୍ଜୁର କରିବେ ତାକୁ ସାରା ଦେଶରେ ଲୋକଙ୍କ ଲାଗି ଉପଲବ୍ଧ କରାଯିବ। ଯିଏ ଚାହିଁବେ ଟିକାକରଣ କରିପାରିବେ। ହେଲେ ନିଜେ ଟିକା ନେବେ ନାହିଁ ବୋଲି ସେ କହିଛନ୍ତି। ତେବେ ଏଭଳି ମନ୍ତବ୍ୟ ଲାଗି ହୁଏତ ଲୋକେ ତାଙ୍କୁ ସମାଲୋଚନା ବି କରିପାରନ୍ତି ବୋଲି କହିଛନ୍ତି। ହେଲେ ଏଭଳି ଲୋକଙ୍କ ଲାଗି ମଧ୍ୟ ମୋ ପାଖରେ ଜବାବ ଅଛି ବୋଲି କହିଛନ୍ତି।

ବୋଲସନାରୋ କହିଛନ୍ତି ଯେ ଟିକା ଉଦଭାବନ ପୂର୍ବରୁ ଭୂତାଣୁ ତାଙ୍କୁ ଗ୍ରାସ କରିଥିଲା। ଏଣୁ ଦେହରେ ଆଗରୁ ଭୂତାଣୁ ଥିବା ବେଳେ ମୁଁ ଟିକା ପୁଣି ଥରେ ଟିକା କାହିଁକି ନେବି ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ରାଜିଲରେ କରୋନା ଭାଇରସ ମହାମାରୀ ଆତଙ୍କ ସୃଷ୍ଟି କରିଥିଲା। ସଂକ୍ରମଣରୁ ରାଷ୍ଟ୍ରପତି ମଧ୍ୟ ବାଦ ପଡିନଥିଲେ। ବୋଲସନାରୋ ଜୁଲାଇ ମାସରେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ୩ ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଚଳତିବର୍ଷ କୋଭିଡ ଯୋଗୁ ବ୍ରାଜିଲରେ ୧ଲକ୍ଷ ୮୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।