ଅକ୍ଷୟ, ଅମୀରଙ୍କଠୁ ସୋନୁ ସୁଦ୍ ଯାଏଁ, ବଲିଉଡର ଏହିସବୁ କଳାକାର ଭ୍ୟାକସିନ୍‌ର ପ୍ରଥମ ଡୋଜ୍ ନେବାପରେ ବି କରୋନା ପଜିଟିଭ୍

Published By : Prameya-News7 Bureau | April 18, 2021 IST

ମୁମ୍ବାଇ ୧୮/୦୪ : କରୋନାର ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଭ୍ୟାକସିନ ନେବାକୁ ଆଗେଇ ଆସୁଛନ୍ତି। ନେତା, ଜନତାଙ୍କ ସହ ବଲିଉଡ କଳାକାର ମଧ୍ୟ କରୋନା ଭ୍ୟାକସିନ ନେଉଛନ୍ତି। ନିଜର ଭ୍ୟାକସିନ ନେବା ଫଟୋ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରି ଭ୍ୟାକସିନ ନେବାକୁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଇତି ମଧ୍ୟରେ ଆଶ୍ଚର୍ଯ୍ୟର କଥା ହେଲା ଭ୍ୟାକସିନ ନେବା ପରେ ମଧ୍ୟ ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ସୋନୁ ସୁଦଙ୍କ ଭଳି ଅନେକ କଳାକାର କରୋନାରେ ସଂକ୍ରମିତ ହୋଇଛନ୍ତି। ଭ୍ୟାକସିନର ପ୍ରଥମ ଡୋଜ ନେବାପରେ କେଉଁ କେଉଁ କଳାକାର ସଂକ୍ରମିତ ହୋଇଛନ୍ତି ଜାଣନ୍ତୁ...

ଅଭିନେତ୍ରୀ ନଗମା କରୋନା ଭ୍ୟାକସିନର ପ୍ରଥମ ଡୋଜ ନେବାପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ଟ୍ୱିଟରରେ ଏନେଇ ସୂଚନା ଦେଇଥିଲେ। ବଲିଉଡ୍ ଅଭିନେତା ଆଶୁତୋଷ ରାଣା ଏପ୍ରିଲ ଆରମ୍ଭରେ ନିଜ ପତ୍ନୀ ରେଣୁକା ସାହାଣେଙ୍କ ସହ ପ୍ରଥମ ଡୋଜ ନେଇଥିଲେ। ଏପ୍ରିଲ ୧୪ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅଭିନେତା ପରେଶ ରାୱଲ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ପ୍ରଥମ ଡୋଜ୍ ନେବାପରେ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ। କିନ୍ତୁ କିଛି ଦିନ ପରେ ସେ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଥିଲେ।

୫୫ ବର୍ଷ ବୟସ୍କ ପ୍ରସିଦ୍ଧ ଗାୟକ ପଲାଶ ସେନ ମଧ୍ୟ କିଛି ଦିନ ପୂର୍ବରୁ ଭ୍ୟାକସିନର ପ୍ରଥମ ଡୋଜ ନେଇଥିଲେ। ତଥାପି କରୋନା ସଂକ୍ରମଣର ଶିକାର ହୋଇଥିଲେ। ବଲିଉଡର ସବୁଠାରୁ ଫିଟ୍ ଅଭିନେତା ବୋଲାଉଥିବା ଅକ୍ଷୟ କୁମାର ମଧ୍ୟ ଏହି ତାଲିକାରେ ଅଛନ୍ତି। ସେ କରୋନା ଟୀକା ନେଇଥିବା ସୂଚନା କାହାକୁ ଦେଇନଥିଲେ। କିନ୍ତୁ କରୋନା ପଜିଟିଭ ଚିହ୍ନଟ ହେବାପରେ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ ଯେ ପ୍ରଥମ ଡୋଜ୍ ନେବାପରେ ସେ ସଂକ୍ରମିତ ହୋଇଛନ୍ତି।

କରୋନା କାଳରେ ଲୋକଙ୍କ ପାଇଁ ଭଗବାନ ଭଳି ପ୍ରକଟ ହୋଇଥିବା ରିୟଲ୍ ଲାଇଫ୍ ହିରୋ ସମସ୍ତଙ୍କ ପ୍ରିୟ ସୋନୁ ସୁଦ୍ ନିକଟରେ ଅମୃତସରରେ ଭ୍ୟାକସିନର ପ୍ରଥମ ଡୋଜ୍ ନେଇଥିଲେ। ଶନିବାର ଦିନ ସୋସିଆଲ୍ ମିଡ଼ିଆରେ ସେ ସୂଚନା ଦେଇଥିଲେ ଯେ ସେ କରୋନାରେ ସଂକ୍ରମିତ। ବର୍ଷ ୨୦୨୦ ସମସ୍ତଙ୍କୁ ପାଇଁ ବହୁତ ଖରାପ ସମୟ ଥିଲା। ଏହାର କଲା ଛାଇ ୨୦୨୧ ଉପରେ ମଧ୍ୟ ପଡିଲା ଭଳି ନଜର ଆସୁଛି। କିଛି ଦିନ ପୂର୍ବରୁ ୫୬ ବର୍ଷ ବୟସ୍କ ବଲିଉଡ୍ ସୁପରଷ୍ଟାର ଅମୀର ଖାନ ଭ୍ୟାକସିନର ପ୍ରଥମ ଡୋଜ୍ ନେଇଥିଲେ। କିନ୍ତୁ ଗତ ମାସରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.