୧୩୯୮ ଚାଷୀଙ୍କ ଋଣ ପରିଶୋଧ କଲେ ବିଗ ବି ଅମିତାଭ ବଚ୍ଚନ

Published By : Prameya-News7 Bureau | November 25, 2018 IST

ମୁମ୍ବାଇ ୨୫/୧୧ : ବିଗ ବି ଅମିତାଭ ବଚ୍ଚନ ୧୩୯୮ ଗରିବ ଚାଷୀଙ୍କ ଚାଷୀ ଋଣ ପରିଶୋଧ କରିଛନ୍ତି | ପ୍ରାୟ ୫.୫ କୋଟି ଟଙ୍କା ଋଣ ସେ ପରିଶୋଧ କରିଛନ୍ତି | ଗତ ମଙ୍ଗଳବାର ଦିନ ସେ ଏକ ପୋଷ୍ଟରେ କହିଥିଲେ ଯେ, ଉତ୍ତର ପ୍ରଦେଶର ୧୩୯୮ ଗରିବ ଚାଷୀଙ୍କ ଦାୟିତ୍ୱ ସେ ନେଇଛନ୍ତି ଏବଂ ସେମାନଙ୍କ ଋଣ ସେ ଶୁଝିଦେବେ | ଅମିତାଭଙ୍କ ଜନ୍ମ ଉତ୍ତର ପ୍ରଦେଶ | ତେଣୁ ଉତ୍ତର ପ୍ରଦେଶ ପାଇଁ ତାଙ୍କର ଦୁର୍ବଳତା ରହିଥିବା ସେ କହିଥିଲେ | ଗରିବ ଚାଷୀ ଋଣ କରି ବହୁତ ହଇରାଣ ହରକତ ହେଉଥିଲେ | ଚାଷୀଙ୍କ ଋଣ ସୁଝି ତାଙ୍କ ବୋଝ ଟିକେ କମ କରିବାରୁ ସେ ଶାନ୍ତି ଅନୁଭବ କରିଥିବା ନିଜ ପୋଷ୍ଟରେ କହିଛନ୍ତି | ବ୍ୟାଙ୍କ ଚାଷୀଙ୍କୁ ଏକକାଳୀନ ପରିଶୋଧନ ପାଇଁ ନୋଟିସ ଜାରି କରିଥିଲା | ଏହା ପୂର୍ବରୁ ଅମିତାଭ ବଚ୍ଚନ ମହାରାଷ୍ଟ୍ରର ୭୦ ଜଣ ଚାଷୀଙ୍କ ଋଣ ପରିଶୋଧ କରି ସାରିଛନ୍ତି | ନିକଟରେ ସରକାରୀ ଏଜେନ୍ସି ମାଧ୍ୟମରେ ୪୪ ପରିବାରକୁ ଆର୍ଥିକ ସହାୟତା ଯୋଗେଇ ଦେଇଥିଲେ | ଏହି ୪୪ ପରିବାରର ସଦସ୍ୟ ଦେଶ ପିନ ଜୀବନ ଦେଇଥିଲେ | ଚାଷୀଙ୍କ ଋଣ ପରିଶୋଧ କରି ତାଙ୍କୁ ଆତ୍ମହତ୍ୟା କରିବାରୁ ସେ ବଂଚିତ କରିଥିବା କହିଛନ୍ତି | ଦେଶର ଚାଷୀ ବିଗତ କିଛି ବର୍ଷ ହେଲା ଫସଲ ନଷ୍ଟ, ତୈଳ ଦର ବୃଦ୍ଧି, ସଠିକ ସମୟରେ ରାଜ୍ୟ ସରକାରଙ୍କ ସହାୟତା ନମିଳିବା ଭଳି ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି | ସରକାରୀ ସୂତ୍ର ଅନୁଯାୟୀ, ୨୦୧୩ ମସିହାରେ ଦେଶର ୧୧,୭୭୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି | ବିଗ ବି ଅମିତାଭ ବଚ୍ଚନ ତାଙ୍କ ରିଆଲିଟି ଶୋ 'କୌନ ବନେଗା କାରୋଡ଼ପତି' ହୋଷ୍ଟ କରୁଛନ୍ତି | ନିକଟରେ ତାଙ୍କର ଏହି ଶୋରେ ଜଣେ ଚାଷୀ ଭାଗ ନେଇଥିଲେ | ଶୋରେ ଚାଷୀ ନିଜ ଦୁଃଖ ବଖାଣିଥିଲେ | ତାଙ୍କ ଦୁଃଖ ଶୁଣି ଅମିତାଭ ଚାଷୀଙ୍କୁ ସାହାଯ୍ୟ କରିବାର ତାଙ୍କର ଉଦ୍ଦେଶ୍ୟ ବାବଦରେ କହିଥିଲେ | ନିଜ ଶୋରେ ହିଁ ସେ ପ୍ରକାଶ କରିଥିଲେ ଯେ, ନିକଟରେ ମହାରାଷ୍ଟ୍ରର ୩୬୦ ଚାଷୀଙ୍କ ଋଣ ସେ ବ୍ୟାଙ୍କରେ ସୁଝି ଦେଇଛନ୍ତି | ବର୍ତ୍ତମାନ ଉତ୍ତର ପ୍ରଦେଶର ୮୫୦ ଜଣ ଚାଷୀଙ୍କ ଋଣ ସୁଝିବେ ବୋଲି ମନସ୍ଥ କରିଥିବା କହିଥିଲେ | ସେ ଦେଶବାସୀଙ୍କୁ ଏକ ନିବେଦନ ମଧ୍ୟ କରିଛନ୍ତି | ସେ କହିଛନ୍ତି ଯେ, "ଚାଷୀ ହେଉଛନ୍ତି ଆମର ଅନ୍ନଦାତା | ସେହି ଚାଷୀ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟ କରିବ ଆମ ସମସ୍ତଙ୍କର ଦାୟିତ୍ୱ |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.