ସୋନୁ ନିଗମଙ୍କ ବଡ଼ ବୟାନ, କହିଲେ- ‘ମୁଁ ଚାହେଁନି ମୋ ପୁଅ ଭାରତରେ ସିଙ୍ଗର ହେଉ’

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧: ପ୍ରତିଷ୍ଠିତ ସିଙ୍ଗର ସୋନୁ ନିଗମ ସବୁ ବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ପୁଣି ଥରେ ସେମିତି ଏକ ମନ୍ତବ୍ୟ ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି ସୋନୁ। ନିକଟରେ ସୋନୁ ନିଗମ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ରିଲିଜ୍‌ କରିଛନ୍ତି। ତେବେ ଏହି ଗୀତର ପ୍ରମୋସନ୍‌ ବେଳେ ସୋନୁ ଏମିତି କିଛି କହି ଦେଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟାଇମ୍ସ ନାଓକୁ ଦେଇଥିବା ଇଣ୍ଟର ଭ୍ୟୁରେ ସୋନୁ କହିଛନ୍ତି ଯେ, ସେ ଚାହୁଁନାହାନ୍ତି ତାଙ୍କ ପୁଅ ସିଙ୍ଗର ହେଉ।

ଏହା ସହ ତାଙ୍କ ପୁଅ ବିଶେଷ କରି ଭାରତରେ ସିଙ୍ଗର ନହେଉ ବୋଲି ସୋନୁ କହିଛନ୍ତି। ଇଣ୍ଟର ଭ୍ୟୁରେ ସୋନୁଙ୍କୁ ତାଙ୍କ ପୁଅ ସିଙ୍ଗର ହେବେ କି ନାହିଁ ପଚରାଯାଇଥିଲା। ଏହି ପ୍ରଶ୍ନର ଜବାବ ଦେଇ ସୋନୁ କହିଥିଲେ, ‘ସତ କହୁଛି କି ମୋ ପୁଅ ସିଙ୍ଗର ନହେଉ, ବିଶେଷ କରି ଏହି ଦେଶର ନହେଉ।’ ଏହା ସହ ସେ ଭାରତରେ ରହୁନାହିଁ। ଦୁବାଇରେ ରହୁଛି। ତାକୁ ବହୁ ପୂର୍ବରୁ ବାହାରକୁ ପଠାଇ ଦେଇଛି ବୋଲି ସୋନୁ କହିଥିଲେ।

ସୋନୁ ନିଗମ ଆହୁରି ମଧ୍ୟ କହିଛନ୍ତି, ‘ମୋ ପୁଅ ୟୁଏଇରେ ଟପ୍‌ ଗେମର। ଏକ ଗେମ୍‌ ଫୋର୍ଟନାଇଟ୍‌ରେ ସେ ଟପ୍‌ ଗେମର। ବହୁତ ପ୍ରତିଭାଶାଳୀ ପିଲା। ତାକୁ ମୁଁ କିଛି ବନିବାକୁ କହିବିନି। ଦେଖିବା ସେ କଣ କରିବାକୁ ଚାହୁଁଛି।’ ତେବେ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ବୈଷ୍ଣବ ଜନର ହିନ୍ଦୀ ଭର୍ଜନ। ସୋନୁ ଦୁବାଇରେ ରହି ଏହି ଗୀତ ଉପରେ କାମ କରିଛନ୍ତି। କିଛି ଦିନ ପୂର୍ବରୁ ସୋନୁଙ୍କ ପୁଅ ନବୀନ ନିଗମଙ୍କ ଭିଡିଓ ଖୁବ ଭାଇରାଲ୍‌ ହୋଇଥିଲା। ତେବେ ଏହି ସୋ’ରେ ନବୀନ ‘କୋଲାବେରି ଡି’ ଗୀତ ଗାଉଥିବା ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.