ହାଇକୋର୍ଟଙ୍କ ନିର୍ଦ୍ଦେଶ- ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟାରକୁ’ ୟୁଟ୍ୟୁବ୍‌ରୁ ହଟାଯାଉ

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୦୩।୦୬: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଗୁଗଲ ଏଲଏଲସିକୁ ୟୁଟ୍ୟୁବ୍‌ରୁ ହିନ୍ଦୀ ଫିଲ୍ମ ସାହେବ ବିବି ଔର ଗ୍ୟାଙ୍ଗଷ୍ଟାରକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମର ସହ ନିର୍ମାତାଙ୍କ ଅନୁସାରେ ସାମାଜିକ ଗଣମାଧ୍ୟମରେ ଏହାକୁ ବେଆଇନ ଭାବେ ଅପଲୋଡ୍‌ କରାଯାଇଛି। ବିଚାରପତି ରାଜୀବ ଶକଧର ମଙ୍ଗଳବାର ଏକ ଅନ୍ତରୀଣ ଆଦେଶରେ ୟୁଟ୍ୟୁବ୍‌କୁ ୪୮ ଘଣ୍ଟା ଭିତରେ ଫିଲ୍ମକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଓକିଲ କହିଛନ୍ତି, ଏହି ପ୍ଲାଟ୍‌ଫର୍ମ ଆମେରିକା କମ୍ପାନୀ ଗୁଗଲ ନିୟନ୍ତ୍ରଣରେ ରହିଛି, ଯାହାକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ।

ଉଚ୍ଚ ନ୍ୟାୟାଳୟ ୟୁଟ୍ୟୁବ୍‌ ପକ୍ଷରୁ ହାଜର ଓକିଲଙ୍କ ବୟାନ ରେକର୍ଡ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯କୁ ଘୁଞ୍ଚାଇଛନ୍ତି। ଫିଲ୍ମର ସହ ନିର୍ମାତା ରାହୁଲ ମିତ୍ରଙ୍କ ଦ୍ଵାରା ଦାଖଲ ଏକ ଆବେଦନର ଶୁଣାଣି କରି ନ୍ୟାୟାଳୟ ୟୁଟ୍ୟୁବ୍‌କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ମିତ୍ର ଅଦାଲତରେ କହିଛନ୍ତି, ଫିଲ୍ମର ଅନ୍ୟ ସହ ନିର୍ମାତା ତିଗମାଂଶୁ ଧୁଲିଆଙ୍କ ଫିଲ୍ମର ସବୁ ଅଧିକାର ଦେଇଛନ୍ତି। ମିତ୍ର କହିଛନ୍ତି ୟୁଟ୍ୟୁବ୍‌ରେ ତାଙ୍କ ଫିଲ୍ମ ଡାଉନ୍‌ଲୋଡ୍‌ ହେବାରୁ ତାଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଏଥିରେ ତାଙ୍କର ବହୁତ  ବଡ ଆର୍ଥିକ କ୍ଷତି ଘଟିଛି। କାରଣ ସେ ଆମାଜନ ପ୍ରାଇମ୍‌ ଭିଡିଓ ଓ ନେଟ୍‌ଫ୍ଲିକ୍ସ ପରି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଫିଲ୍ମର ଅଧିକାର ବିକ୍ରି କରିବା ସ୍ଥିତିରେ ନାହାନ୍ତି।

ଉଚ୍ଚ ନ୍ୟାୟାଳୟ ୟୁଟ୍ୟୁବ୍‌ ଓ ଗୁଗୁଲ ଏଲଏଲସିକୁ ନୋଟିସ୍‌ ଜାରି କରି ମାମଲାରେ ଜବାବ ରଖିବାକୁ କହିଛି। ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତରେ ହୋଇଥିବା ଶୁଣାଣିରେ ୟୁଟ୍ୟୁବ୍‌ର ଓକିଲ ଅଦାଲତରେ କହିଛନ୍ତି ଏହି ଏହା କେବଳ ଏକ ମଞ୍ଚ। ଏଥିପାଇଁ ଫିଲ୍ମକୁ ଏହାର ମଞ୍ଚରେ ଅପଲୋଡ୍‌ କରିବା ନେଇ ଉତ୍ତରଦାୟୀ କରାଯାଇ ପାରିବ ନାହିଁ। ଅଭିଯୋଗ କରିଥିବା ପକ୍ଷ ସେହି ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ମୋକଦ୍ଦମା କରିବା ଉଚିତ୍ ଯିଏ ଅବୈଧ ଭାବେ ଫିଲ୍ମକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଛି। ଏହା ପରେ ଉଚ୍ଚ ନ୍ୟାୟାଳୟ ଯାଚିକାକର୍ତ୍ତାଙ୍କୁ ଫିଲ୍ମ ଅପଲୋଡ୍‌ କରିଥିବା ବ୍ୟକ୍ତି କିମ୍ବା ସଂସ୍ଥାକୁ ୫ ଦିନ ଭିତରେ ମୋକଦ୍ଦମାରେ ଅଭିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.