Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମଧୁବାଲାଙ୍କ ହୃଦୟ ବିଦାରକ ପ୍ରେମକାହାଣୀ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ : ଡୁଡଲରେ ତାଙ୍କୁ ମନେ ପକାଇଛି ଗୁଗଲ୍

14/02/2019 at 11:38 AM

ମୁମ୍ବାଇ ୧୪/୨: ଫେବୃୟାରୀ ୧୪ତାରିଖରେ ଚାରିଆଡ଼େ ଭ୍ୟାଲେଣ୍ଟାଇନ୍ ଡେ ପାଳନ କରାଯାଉଥିବାବେଳେ ଆଜି ଆମେ ମନେ ପକାଇବା ଦିବଂ ଗତ ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ମଧୁବାଲାଙ୍କୁ। ୧୪ଫେବୃୟାରୀ ମୁଗଲ୍ ଇ ଆଜମର ଅନାରକଲୀ ମଧୁବାଲାଙ୍କ ଜନ୍ମଦିନ। ଆଜି ଯଦି ମଧୁବାଲା ବଞ୍ଚିଥାଆନ୍ତେ ତେବେ ସେ ନିଜର ୮୬ତମ ଜନ୍ମଦିନ ପାଳନ କରିଥାଆନ୍ତେ। କିନ୍ତୁ ତାଙ୍କ କାହାଣୀରେ ଏତେ ଦୁଃଖ ଭରି ରହିଛି ଯେ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ତାଙ୍କ ଜନ୍ମଦିନରେ ଗୁଗଲ୍ ମଧ୍ୟ ଡୁଡଲ୍ କରି ତାଙ୍କୁ ସ୍ମରଣ କରିଛି।

୩୬ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିବା ମଧୁବାଲା ଫିଲ୍ମ ଜଗତରେ ନିଜର ଏପରି ଏକ ପରିଚୟ ସୃଷ୍ଟି କରିପାରିଥିଲେ ଯେ ଆଜିପର୍ଯ୍ୟନ୍ତ ଲୋକେ ତାଙ୍କୁ ମନେ ରଖିଛନ୍ତି। ଆଜି ମଧ୍ୟ କେତେକ ଅଭିନେତ୍ରୀ ତାଙ୍କୁ ନିଜ ପାଇଁ ଆଦର୍ଶ ବୋଲି ଭାବୁଛନ୍ତି। ୧୯୩୩ମସିହା ଫେବୃୟାରୀ ୧୪ତାରିଖରେ ଜନ୍ମଗ୍ରହଣ କରିଥିବା ମଧୁବାଲାଙ୍କ ପିଲାଦିନର ନାଁ ମୁମତାଜ ଜାହାଁ ଥିଲା। ଦିଲ୍ଲୀ ଆକାଶବାଣୀରେ ଏକ କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ମଦନମୋହନଙ୍କ ବାପା ମଧୁବାଲାଙ୍କୁ ଦେଖି ତାଙ୍କୁ ବମ୍ବେ ଟକିଜର ଫିଲ୍ମ ‘ବସନ୍ତ’ ପାଇଁ ଶିଶୁ କଳାକାର ଭୂମିକାରେ ଅଭିନୟ କରିବା ପାଇଁ ମଧୁବାଲାଙ୍କୁ ନେଇଥିଲେ। ଏହି ଫିଲ୍ମରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ଏପରି କୁହାଯାଉଥିଲା ଯେ ଜଣେ ଜ୍ୟୋତିଷ ମଧୁବାଲାଙ୍କ ବାପା ମାଆଙ୍କୁ ଆଗରୁ କହିଦେଇଥିଲେ ଯେ ମଧୁବାଲା ନିଜ ଜୀବନରେ ଖୁବ୍ ସଫଳତା ଏବଂ ଧନ ଅର୍ଜନ କରିବେ କିନ୍ତୁ ଏହା ସହିତ ଅତ୍ୟନ୍ତ ଦୁଃଖ ମଧ୍ୟ ଭୋଗ କରିବେ। ତାଙ୍କ ବାପା ଅୟାତୁଲ୍ଲାହ ଖାନ୍ ଭବିଷ୍ୟତବାଣୀ ପରେ ତାଙ୍କ ମଙ୍ଗଳ ପାଇଁ ଦିଲ୍ଲୀରୁ ମୁମ୍ବାଇ ପଳାଇଆସିଥିଲେ।

‘ବସନ୍ତ’ ଫିଲ୍ମ ପରେ ରଣଜିତ ଷ୍ଟୁଡିଓର କେତେକ ଫିଲ୍ମରେ ଅଭିନୟ କରି ଏବଂ ଗୀତ ଗାଇ ମଧୁବାଲା ତାଙ୍କ ଫିଲ୍ମ କ୍ୟାରିୟର ଆଗକୁ ବଢ଼ାଇଥିଲେ। ଦେବିକା ରାଣୀ ‘ବସନ୍ତ’ ଫିଲ୍ମରେ ତାଙ୍କ ଅଭିନୟ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ଏଥିପାଇଁ ଦେବିକା ରାଣୀ ତାଙ୍କ ନାଁ ମୁମତାଜରୁ ମଧୁବାଲା ରଖି ଦେଇଥିଲେ। ମଧୁବାଲାଙ୍କ ବଲିଉଡ ଟ୍ରେନିଙ୍ଗ୍ ଜାରି ରହିଥିଲା। ମଧୁବାଲା ସମୟଠାରୁ ଖୁବ୍ ଆଗେ ଥିଲେ। ୧୨ବର୍ଷ ବୟସରେ ସେ ଡ୍ରାଇଭିଙ୍ଗ୍ ଶିଖିଯାଇଥିଲେ।

ମଧୁବାଲାଙ୍କୁ ପ୍ରଥମ ଥର ହିରୋଇନ୍ କରିଥିଲେ ଡାଇରେକ୍ଟର କେଦାର ଶର୍ମା। ଏହି ଫିଲ୍ମର ନାଁ ଥିଲା ‘ନୀଲକମଲ’ ଏବଂ ହିରୋ ଥିଲେ ରାଜ କପୁର। ଏହି ଫିଲ୍ମ ପରେ ତାଙ୍କୁ ସିନେମାର ସୈାନ୍ଦର୍ଯ୍ୟ ଦେବୀ କୁହାଯାଉଥିଲା। କିନ୍ତୁ ‘ମହଲ’ ଫିଲ୍ମରୁ ତାଙ୍କୁ ଲୋକପ୍ରିୟତା ଏବଂ ସଫଳତା ମିଳିଥିଲା। ଏହି ରହସ୍ୟମୟ ଫିଲ୍ମରେ ତାଙ୍କ ହିରୋ ଥିଲେ ଅଶୋକ କୁମାର। ଏହି ଫିଲ୍ମ ଇତିହାସ ରଚିଥିଲା।

‘ମହଲ’ର ସଫଳତା ପରେ ମଧୁବାଲା କେବେ ପଛକୁ ଫେରି ଚାହିଁନଥିଲେ। ଏହା ପରେ ତାଙ୍କୁ ସବୁ ଫିଲ୍ମ ସଫଳତା ଅର୍ଜନ କରିଥିଲା। ସେ ରାଜ କପୁର,ଅଶୋକ କୁମାର,ଦିଲ୍ଲୀପ କୁମାର,ଦେବାନନ୍ଦ ଭଳି ଆଗଧାଡ଼ିର ଅଭିନେତାଙ୍କ ସହ କାମ କରିଥିଲେ। ଏହିପରି ତାଙ୍କର କିଛି ଫିଲ୍ମ ଫ୍ଲପ୍ ମଧ୍ୟ ହୋଇଥିଲା କାରଣ ତାଙ୍କ ପରିବାର ମଧୁବାଲାଙ୍କ ରୋଜଗାରରେ ପ୍ରତିପୋଷଣ ହେଉଥିଲା। ଭୁଲ୍ ଫିଲ୍ମ ବାଛିବା ଫଳରେ ତାଙ୍କ କ୍ୟାରିୟର ପ୍ରତି ମହଙ୍ଗା ସାବ୍ୟନ୍ତ ହୋଇଥିଲା। ତାଙ୍କ ପିତା ତାଙ୍କ ମ୍ୟାନେଜର ଥିଲେ।

କିନ୍ତୁ ଅସଫଳତା ସତ୍ତ୍ବେ ସେ ହାର ମାନିନଥିଲେ। ୧୯୫୮ମସିହାରେ ତାଙ୍କର ଚାରୋଟି ଫିଲ୍ମ ‘ଫାଗୁନ’,‘ହାଓଡ଼ା ବ୍ରିଜ’,‘କାଲା ପାନି’ ଏବଂ ‘ଚଲତି କା ନାମ ଗାଡ଼ି’ ସୁପର ହିଟ୍ ହୋଇଥିଲା। ୧୯୬୦ମସିହାରେ ଯେତେବେଳେ ‘ମୁଗଲ ଇ ଆଜମ୍’ ରିଲିଜ ହୋଇଥିଲା ଏହା ତାଙ୍କୁ ଭିନ୍ନ ସ୍ଥାନରେ ପହଞ୍ଚାଇଦେଇଥିଲା। ଏଥିରେ ଅନାରକଲୀର ଭୂମିକା ତାଙ୍କ ଜୀବନର ସବୁଠୁ ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା।

ଏହି ଫିଲ୍ମ ସମୟରେ ତାଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ଥିଲା। କିନ୍ତୁ ସେ ମନପ୍ରାଣ ଦେଇ ଏହି ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମ ସୁଟିଂ କରିବା ପାଇଁ ଦୀର୍ଘ ଦିନ ଲାଗିଥିଲା। ମଧୁବାଲାଙ୍କ ପ୍ରେମକାହାଣୀ ବିଷୟରେ କଥା କହିବାକୁ ଗଲେ ଦିଲ୍ଲୀପ କୁମାର ଏବଂ ତାଙ୍କୁ ନେଇ ଜୋର ଚର୍ଚ୍ଚା ଧରିଥିଲା। ଉଭୟଙ୍କ ପ୍ରେମ କାହାଣୀ କୈାଣସି ରୋମାଣ୍ଟିକ୍ କାହାଣୀର ସ୍କ୍ରିପ୍ଟ ପରି ଆରମ୍ଭ ହୋଇଥିଲା ଏବଂ ସରିଯାଇଥିଲା। ଦିଲ୍ଲୀପ କୁମାରଙ୍କ ଜୀବନକୁ ଯେତେବେଳେ ମଧୁବାଲା ଆସିଥିଲେ ସେତେବେଳେ ମଧୁବାଲାଙ୍କୁ ୧୭ବର୍ଷ ବୟସ ହୋଇଥିଲା। କିନ୍ତୁ ଉଭୟଙ୍କ ପ୍ରେମ କାହାଣୀରେ ମଧୁବାଲାଙ୍କ ବାପା ଖଳନାୟକ ସାଜିଥିଲେ। ଏହା ପରେ ଏହି ପ୍ରେମୀଯୁଗଳଙ୍କ କାହାଣୀର ଅନ୍ତ ଘଟିଥିଲା।

ଦିଲ୍ଲୀପ କୁମାରଙ୍କ ପରେ ମଧୁବାଲାଙ୍କ ଜୀବନକୁ ଆସିଥିଲେ ଗାୟକ ଏବଂ ଅଭିନେତା କିଶୋର କୁମାର। ‘ଚଲତି କା ନାମ ଗାଡ଼ି’ ଫିଲ୍ମ କରିବା ପରେ ଉଭୟେ ବିବାହ କରିଥିଲେ। ବିବାହ ପରେ ଜଣା ପଡ଼ିଲା ଯେ ମଧୁବାଲାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ରହିଛି। ଏହା ପରେ ମଧୁବାଲା ଦୀର୍ଘ ଦିନ ଯାଏଁ ଶଯ୍ୟାଶାୟୀ ହୋଇଥିଲେ।  କିଶୋର କୁମାର  ଅଧିକାଂଶ ସମୟ ମଧୁବାଲାଙ୍କୁ ଦେଖା କରିବାକୁ ଯାଉଥିଲେ। କିଶୋର କୁମାର କହୁଥିଲେ ଯେତେବେଳେ ସେ ତାଙ୍କୁ ଦେଖା କରିବାକୁ ଯାଉଥିଲେ ମଧୁବାଲା କାନ୍ଦୁଥିଲେ।

୧୯୬୯ମସିହା ଫେବୃୟାରୀ ୨୩ତାରିଖ ସେ ଆମ ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ମଧୁବାଲା ହୃଦରୋଗରେ ପୀଡ଼ିତ ଥିଲେ। ଏହା ୧୯୫୦ମସିହାରେ ଜଣା ପଡ଼ିଯାଇଥିଲା। କିନ୍ତୁ ଏହି ଖବର ସମସ୍ତଙ୍କୁ ଲୁଚାଯାଇଥିଲା। କିନ୍ତୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରୁ ସମସ୍ତେ ଜାଣିଯାଇଥିଲେ। ବେଳେବେଳେ ଫିଲ୍ମସେଟରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଉଥିଲା। ଚିକିତ୍ସା ପାଇଁ ସେ ଯେତେବେଳେ ଲଣ୍ଡନ ଯାଇଥିଲେ ଡାକ୍ତର ତାଙ୍କୁ ସର୍ଜରୀ କରିବାକୁ ମନା କରିଦେଇଥିଲେ। କାରଣ ଡାକ୍ତର ଡରୁଥିଲେ ଯେ ସର୍ଜରୀ କରିବାବେଳେ ତାଙ୍କୁ କିଛି ନ ହୋଇଯାଉ। ଜୀବନର ଶେଷ ୯ବର୍ଷ ତାଙ୍କୁ ଶଯ୍ୟାରେ କାଟିବାକୁ ପଡ଼ିଥିଲା। ତାଙ୍କ ଦେହାନ୍ତର ୨ବର୍ଷ ପରେ ତାଙ୍କ ଫିଲ୍ମ ‘ଜଲଓ୍ବା’ ରିଲିଜ ହୋଇଥିଲା ଯାହା ତାଙ୍କ ଜୀବନର ଶେଷ ଫିଲ୍ମ ଥିଲା।

   Related Posts