ଖ୍ୟାତନାମା ଅଭିନେତ୍ରୀ ନିମିଙ୍କର ୮୮ ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | March 26, 2020 IST

ମୁମ୍ବାଇ ୨୬।୩: ଖ୍ୟାତନାମା ଅଭିନେତ୍ରୀ ନିମିଙ୍କର ପରଲୋକ । ବଲିଉଡ୍ ଜଗତର ଜଣାଶୁଣା ଅଭିନେତ୍ରୀ ନିମି ମୁମ୍ବାଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ମୁମ୍ବାଇର ସରଲା ନର୍ସିଂହୋମରେ ବୁଧବାର ସନ୍ଧ୍ୟା ୬ଟା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଅଭିନେତ୍ରୀ ନିମି ୧୬ ବର୍ଷ ଚଳଚ୍ଚିତ୍ରରେ କାମ କରିଥିଲେ | ୧୯୪୯ ମସିହାରୁ ୧୯୬୫ମସିହା ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଭିନୟ କରିଥିଲେ। ସେ ତାଙ୍କ ସମୟର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବିବେଚିତ ହେଉଥିଲେ। ତାଙ୍କର ପ୍ରକୃତ ନାମ ଥିଲା ‘ନବାବ ବାନୋ’ | ନିମି ଏସ୍ ଅଲ୍ଲୀ ରାଜାଙ୍କୁ ବିବାହ କରିଥିଲେ । ଏସ୍ ଅଲ୍ଲୀ ରାଜାଙ୍କର ୨୦୦୭ ମସିହାରେ ଦେହାନ୍ତ ହୋଇଥିଲା ।
ନିମିଙ୍କୁ ରାଜ କପୁରଙ୍କ ପ୍ରଥମ ଖୋଜ୍ ବୋଲି ମଧ୍ୟ କୁହାଯାଏ । ରିପୋର୍ଟ ଅନୁସାରେ ସେ ହିଁ ତାଙ୍କ ନାଁ ନବାବ ବାନୋରୁ ପରିବର୍ତ୍ତନ କରି ନିମି ରଖିଥିଲେ । ରାଜ କପୁର ନିମିଙ୍କୁ ତାଙ୍କ ଚଳଚ୍ଚିତ୍ର ‘ବରସାତ୍’ରେ ଏକ ବ୍ରେକ୍ ଦେଇଥିଲେ। ଏହି ଚଳଚ୍ଚିତ୍ର ହିଟ୍ ହେବା ପରେ ନିମି ଅନେକ ଫିଲ୍ମରେ କାମ କରିଥିଲେ | ସେ ଆନ୍, ଉଡନ ଖାଟୋଲା, ଭାଇ ଭାଇ, କୁନ୍ଦନ, ମେରେ ମେହବୁବ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି |
ରିପୋର୍ଟ ଅନୁଯାୟୀ, କ୍ୟାରିୟର ଆରମ୍ଭ କରିବାର ପ୍ରଥମେ ପ୍ରଥମେ ତାଙ୍କର ବହୁତ ଡିମାଣ୍ଡ ଥିଲା | କୁହାଯାଏ ଯେ ଦିଲ୍ଲୀପ କୁମାରଙ୍କ ଠାରୁ ରାଜ କପୁର, ଅଶୋକ କୁମାର, ଧର୍ମେନ୍ଦ୍ରଙ୍କ ଭଳି ଅନେକ ବଡ ବଡ ଅଭିନେତା ତାଙ୍କ ସହ କାମ କରିବାକୁ ଉତ୍ସାହୀ ଥିଲେ ।
ନିମିଙ୍କ ପରଲୋକରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ମଧ୍ୟ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.