ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଆଜି ବି ରହିଛି ରହସ୍ୟ ଘେରରେ
29/10/2019 at 8:57 AM

ମୁମ୍ବାଇ୨୮|୧୦: ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପରବିନ ବାବି ତଥା ତାଙ୍କ ପୂରା ନାଁ ଥିଲା ପରବିନ ବଲି ମହମ୍ମଦ ଅଲ୍ଲୀ ଖାନ। ୧୯୪୯ ମସିହା ଏପ୍ରିଲ ମାସ ୪ ତାରିଖ ଗୁଜରାଟର ଜୁନାଗଢରେ ଜନ୍ମ ହୋଇଥିଲେ ପରବିନ। ପରବିନ ନିଜ ମାଆ ବାପାଙ୍କର ଏକମାତ୍ର ଝିଅ ଥିଲେ। ବାପା ମାଆଙ୍କ ବିବାହର ୧୪ ବର୍ଷ ପରେ ପରବିନ ଜନ୍ମ ହୋଇଥିଲେ। ପରବିନ ୧୦ ବର୍ଷର ଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା।

ରିପୋର୍ଟ ଅନୁସାରେ ପରବିନଙ୍କର ଅନେକ ଆଫେୟର ଥିଲା। ହେଲେ କେହି ତାଙ୍କୁ ବିବାହ କରିନଥିଲେ। ସମ୍ପର୍କରେ ଛଳନା ଓ ପ୍ରତାରଣା ବ୍ୟତୀତ ତାଙ୍କୁ କିଛି ମିଳିନଥିଲା। ମହେଶ ଭଟ୍ଟଙ୍କ ବ୍ୟତୀତ କବୀର ବେଦୀ ତଥା ଡେନିଙ୍କ ସହ ମଧ୍ୟ ପରବିନଙ୍କ ସମ୍ବନ୍ଧ ଥିଲା । ହେଲେ ଏହି ସବୁ ସମ୍ପର୍କରେ ତାଙ୍କୁ କେବଳ ଧୋକା ମିଳିଥିଲା।

ପରବିନଙ୍କ ଲଭ ଲାଇଫ ତାଙ୍କ ଫିଲ୍ମ ଭଳି ବେଶ ଚର୍ଚ୍ଚାରେ ରହୁଥିଲା। ପରବିନ ଓ ମହେଶ ଭଟ୍ଟଙ୍କର ନିବିଡ ସମ୍ପର୍କ ବିଷୟରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରି ଜାଣିଥିଲା। ସୂଚନାଯୋଗ୍ୟ ଯେ, ପରବିନଙ୍କ ମୃତ୍ୟୁ ପଛରେ ମହେଶ ଭଟ୍ଟ ସବୁଠୁ ବଡ କାରଣ ଥିଲେ। ମହେଶ ପରବିନଙ୍କୁ ଏମିତି ସମୟରେ ଛାଡିଥିଲେ ଯେବେ ପରବିନଙ୍କୁ ତାଙ୍କର ସବୁଠୁ ଅଧିକ ସହାୟତା ଦରକାର ଥିଲା।

ଜଣେ ସଫଳ ଓ ସୁନ୍ଦରୀ ଅଭିନେତ୍ରୀ ହୋଇଥିବା ସତ୍ତ୍ବେ ପରବିନ ବାବି ଅବସାଦ ଗ୍ରସ୍ଥ ହୋଇଥିଲେ। ଏହା ପଛର କାରଣ ତାଙ୍କର ଅସଫଳ ସମ୍ପର୍କ ବୋଲି କୁହାଯାଇଥିଲା। ଲଗାତାର ସମ୍ପର୍କ ଭାଙ୍ଗୁଥିବାରୁ ନିଜ ଅନ୍ତିମ ଦିନରେ ପରବିନ ସିଜୋଫ୍ରେନିୟାର ଶିକାର ହୋଇଥିଲେ ଯେଉଁଥିରୁ ସେ ନିଜେ ବାହାରିପାରିନଥିଲେ।